କୋଭିଡ-୧୯ ମୁକାବିଲା : ମିଳିତ ଭାବେ କାର୍ଯ୍ୟ କରିବା ସହ ସାମାଜିକ ଦୂରତା ବଜାୟ ରଖିବା- ଡ. ହର୍ଷ ବର୍ଦ୍ଧନ

ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଏନଜିଓ ଓ ନାଗରିକ ସଂଗଠନ ସହ ଡ. ହର୍ଷ ବର୍ଦ୍ଧନଙ୍କ ଆଲୋଚନା

 

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ନାଗରିକ ସମାଜ ସଂଗଠନ ଏବଂ ଏନଜିଓଗୁଡ଼ିକ ସହିତ ଆଲୋଚନା କରିଥିଲେ ।
ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଲାଗି ୯୨,୦୦୦ରୁ ଊର୍ଦ୍ଧ୍ବ ଏନଜିଓଙ୍କ ନିଃସ୍ବାର୍ଥପର ସେବା ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡ. ହର୍ଷ ବର୍ଦ୍ଧନ କୃତଜ୍ଞତା ବ୍ୟକ୍ତ କରିଥିଲେ । କୋଭିଡ-୧୯ ମୁକାବିଲାରେ ଏସବୁ ସଂଗଠନଗୁଡ଼ିକର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ବୋଲି ଅଭିହିତ କରି ସେ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଏସବୁ ସଂସ୍ଥାଗୁଡ଼ିକର କାର୍ଯ୍ୟ ଅନ୍ୟମାନଙ୍କୁ ଆଗେଇ ଆସି ସେବା ଯୋଗାଇବା ନିମନ୍ତେ ଅନୁପ୍ରାଣିତ କରିଛି ।
କୋଭିଡ-୧୯ ମୁକାବିଲା ନିମନ୍ତେ କ୍ରମାନ୍ବୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଡ. ହର୍ଷ ବର୍ଦ୍ଧନ ବିସ୍ତୃତ ସୂଚନା ଦେଇଥିଲେ । କୋଭିଡ-୧୯ ମୁକାବିଲା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ଅନ୍ତର୍ଜାତୀୟ ସଂସ୍ଥା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ଭାରତ ପ୍ରଥମ ଦେଶ ଥିଲା ବୋଲି ସେ କହିଥିଲେ । ଭାରତ ସରକାର ସକ୍ରିୟ ଏବଂ ସତର୍କ ପଦକ୍ଷେପ ଗ୍ରହଣ କରିବା ସହିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପକୁ ତ୍ବରାନ୍ବିତ କରିଛନ୍ତି ।
ମହାମାରୀକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏସବୁ ପଦକ୍ଷେପ ମଧ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ସୁରକ୍ଷା ଉପକରଣ ବ୍ୟବସ୍ଥା କରିବା, ସମସ୍ତ ବନ୍ଦରରେ ପ୍ରବେଶ ସମୟରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ, ଗୋଷ୍ଠୀ ନିରୀକ୍ଷଣ, ବିସ୍ତୃତ କଣ୍ଟାକ୍ଟଙ୍କୁ ଚିହ୍ନଟ କରିବା, ରାପିଡ ରେସପନ୍ସ ଟିମ ଆଦି ରି ବିସ୍ତୃତ ମାର୍ଗଦର୍ଶିକା ରହିଛି । ସେ ଆରୋଗ୍ୟ ସେତୁ ଆପ ଏବଂ ସମାଜର ଗରିବ ବର୍ଗଙ୍କ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅର୍ଥନୈତିକ ପ୍ୟାକେଜ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପ୍ରବାସୀ ଭାରତୀୟଙ୍କ ଅସୁବିଧାକୁ ଦେଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟ ଗାଇଡଲାଇନ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।
ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ଲକଡାଉନ ଘୋଷଣା ମାଧ୍ୟମରେ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ଓ ପ୍ରତିରୋଧ ପ୍ରୟାସର ନେତୃତ୍ବ ନେବା ନିମନ୍ତେ ଡ. ହର୍ଷ ବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେବାର ହାରରେ ଲଗାତାର ଭାବେ ସୁଧାର ଆସିଛି, ବର୍ତ୍ତମାନ ଏହି ହାର ତିନି ଦିନ ପର୍ଯ୍ୟନ୍ତ ୧୨.୫ ଦିନ, ୭ ଦିନ ପର୍ୟ୍ୟନ୍ତ ୧୧.୦ ଦିନ ଏବଂ ୧୪ ଦିନ ପର୍ୟ୍ୟନ୍ତ ୯.୯ ଦିନରେ ରହିଛି । ଲକଡାଉନ ପଦକ୍ଷେପ ସହିତ କ୍ଲଷ୍ଟର ପରିଚାଳନା ଏବଂ ଅବରୋଧ ରଣନୀତି କାରଣରୁ ଏହା ହୋଇପାରିଛି ।
ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କ ସମସ୍ୟା ସମାଧାନରେ ଏନଜିଓଗୁଡ଼ିକର ସାହାଯ୍ୟ ନିମନ୍ତେ ଡ. ହର୍ଷ ବର୍ଦ୍ଧନ ସେମାନଙ୍କୁ ପ୍ରଶଂସା କରିଥିଲେ। ସରକାର ଏବଂ ଅଣ-ସରକାରୀ ସଂଗଠନ ମଧ୍ୟରେ ସମନ୍ବୟ ଏବଂ ଉତ୍ସାହକୁ ସେ ପ୍ରଶଂସା କରିଥିଲେ । ସେହିପରି କୋଭିଡ-୧୯ ସଂକ୍ରମଣ ସମୟରେ ଏନଜିଓଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। କୋଭିଡ-୧୯ ରୋଗୀ, ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହେଉଥିବା ଅବିଚାର ଓ ଅତ୍ୟାଚାର ଏବଂ ଘରକୁ ଫେରିବା ଲାଗି ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ଅସୁବିଧା ଭଳି ସମସ୍ୟା ସମାଧାନରେ ଏନଜିଓଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଉତ୍ତମ ପରିଚାଳନା ନିମନ୍ତେ ସହଯୋଗ ଲାଗି ଏନଜିଓଗୁଡ଼ିକୁ ନୀତି ଆୟୋଗ ଧନ୍ୟବାଦ ଜଣାଇଥିଲେ । ଏହାଛଡ଼ା ଔଷଧ ଉପଲବ୍ଧ ନହେବା, ଆକାଂକ୍ଷିତ ଜିଲ୍ଲା ସମେତ ଅନ୍ୟ ସ୍ଥାନରେ ଜରା ଚିକିତ୍ସା ସେବାରେ ଅଭାବ, ମହିଳାମାନେ ଭୋଗୁଥିବା ସମସ୍ୟା, ଲକଡାଉନ ସମୟରେ ଏନଜିଓ କର୍ମୀମାନେ ଭୋଗୁଥିବା ଯାତାୟାତ ସମସ୍ୟା, ଅପପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା, କେତେକ ଜୀବିକାକୁ ନେଇ ଦେଖାଦେଉଥିବା ବାଛବିଚାର ଏବଂ ପ୍ରବାସୀ ଶ୍ରମିକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଆଦି କେତେକ ପ୍ରସଙ୍ଗରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ । ପାରମ୍ପରିକ ଜ୍ଞାନ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଲୋକମାନଙ୍କ ମଧ୍ୟରେ ସଂକ୍ରାମକ ଭୟ ଦୂର କରିବା, ଅର୍ଥବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ ହେଲେ ଏମଏସଏମଇଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ଆଦି ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେମାନେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଆବଶ୍ୟକ ସହାୟତା ନିମନ୍ତେ ଏନଜିଓ ପ୍ରତିନିଧିମାନଙ୍କୁ ଡ. ହର୍ଷ ବର୍ଦ୍ଧନ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଜିଲ୍ଲାଗୁଡ଼ିକୁ ଲାଲ, କମଳା ଓ ସବୁଜ ଜୋନରେ ବିଭକ୍ତ କରାଯିବା ଫଳରେ ଏନଜିଓମାନେ ସେମାନଙ୍କ କାର୍ଯ୍ୟର ପ୍ରାଥମିକତା ନିର୍ଦ୍ଧାରଣ କରିପାରିବେ । କୋଭିଡ-୧୯ ପରିଚାଳନା ସଂକ୍ରାନ୍ତରେ ସେମାନଙ୍କ ସମସ୍ୟା ସମ୍ପର୍କରେ ସେମାନେ ସରକାରଙ୍କୁ ବିଭିନ୍ନ ମାଧ୍ୟମ ଯେପରିକ ସାମାଜିକ ଗଣମାଧ୍ୟମ ଏବଂ ସମର୍ପିତ ଟ୍ବିଟର ହ୍ୟାଣ୍ଡଲ @CovidIndiaSeva ଜରିଆରେ ସରକାରଙ୍କୁ ଅବଗତ କରାଇବା ଲାଗି ସେ ଅନୁରୋଧ କରିଥିଲେ।
ହାତ ସଫା ରଖିବା, ମାସ୍କ ପରିଧାନ କରିବା, ଅଧିକ ବିପଦ ଥିବା ଜନସଂଖ୍ୟାଙ୍କ ଯତ୍ନ ନେବା, ସମ୍ଭବ ହେଲେ ଘରେ ଥାଇ କାର୍ୟ୍ୟ କରିବା ଏବଂ କଡ଼ାକଡ଼ି ଭାବେ ଲକଡାଉନ ଓ ସାମାଜିକ ଦୂରତା ପାଳନ କରିବା ନିମନ୍ତେ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋଭିଡ-୧୯ ମୁକାବିଲା ଲାଗି ସାମାଜିକ ଦୂରତ୍ବ ଏବଂ ଲକଡାଉନ ସବୁଠୁ ପ୍ରଭାବୀ ସାମାଜିକ ଟିକା ଭାବେ କାମ କରିବ ବୋଲି ଡ. ହର୍ଷ ବର୍ଦ୍ଧନ ଦୋହରାଇଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ କୋଭିଡ-୧୯ ସଂକ୍ରାନ୍ତ ବୈଷୟିକ ପ୍ରସଙ୍ଗ, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ସମ୍ପର୍କରେ ସମସ୍ତ ବିଶ୍ବସନୀୟ ଓ ସଦ୍ୟତମ ସୂଚନା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେhttps://www.mohfw.gov.in/ ଉପଲବ୍ଧ। ପ୍ରତ୍ୟେକ ଦିନ ଦୁଇଥର ଏହାକୁ ଅପଡେଟ କରାଯାଉଛି।
ଏହି ଅଧିବେଶନରେ ଅଂଶଗ୍ରହଣ କରିବା ଏବଂ ମୂଲ୍ୟବାନ ପରାମର୍ଶ ଦେବା ନିମନ୍ତେ ଡ. ହର୍ଷ ବର୍ଦ୍ଧନ, ନାଗରିକ ସମାଜ ସଂଗଠନ ଓ ଏନଜିଓ ତଥା ଏହାର ପ୍ରତିନିଧିମାନଙ୍କୁ ଶେଷରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଧନ୍ୟବାଦ ଜଣାଇଥିଲେ ।

 

Comments are closed.