ଅଜିତ ମିଶ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ‘ସିଇଓ’

ଭୁବନେଶ୍ୱର : ଅବସର ଗ୍ରହଣ କରିଥିବା ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପୁନଃ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଡ. ମିଶ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ମିଶ୍ର କାର୍ଯ୍ୟରେ ଯୋଗଦେବା ଦିନଠାରୁ ୧ ବର୍ଷ ଦାୟିତ୍ବ ନିର୍ବାହ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଡ. ମିଶ୍ର ଗତକାଲି ଜିଲାପାଳ ଦାୟିତ୍ବରୁ ଅବସର ନେଇଥିଲେ। ସେହିପରି ଏହି ଦାୟିତ୍ବରେ ଥିବା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍)ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେେଶକ ଭାବେ ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି । ଏଥିପୂର୍ବରୁ ଶ୍ରୀ ଚୌଧୁରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ‘ସିଇଓ’ ସହିତ ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅତିରିକ୍ତ ଦାୟିତ୍ବ ବହନ କରିଥିଲେ।
ସାଧାରଣ ପ୍ରଶାସନ ବିଭାଗର ପୃଥକ ନିର୍ଦେଶନାମା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଅନୁସୂଚିତ ଜାତି ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିବାବେଳେ ଡ. ବାଦଲ କୁମାର ମହାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ସହିତ ‘ଓରମାସ’ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏହାବାଦ୍ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କ ପୂର୍ବ ବଦଳି ଆଦେଶ ବାତିଲ କରାଯାଇ ଉକ୍ତ ବିଭାଗରେ ପୁନଃ ଅବସ୍ଥାପିତ କରାଯାଇଛି।

Comments are closed.