ନବବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ପିପିଲ : ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମରେ ଏକମାସ ୧୦ ଦିନ ତଳେ ବିବାହ କରିଥିବା ଜଣେ ନବବଧୂକୁ ଅଧିକ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ଅଭିଯୋଗରେ ପିପିଲି ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି। ନବବଧୂ ସିନୁ ରାଉତରାୟ(୨୧)ଙ୍କ ମୃତ ଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାଇ, ଡେଲାଙ୍ଗ ଥାନା ମୁନିନ୍ଦା ଗ୍ରାମର ଗୁରୁନାଥ ରାଉତଙ୍କ କନ୍ୟା ସିନୁଙ୍କ ବିବାହ ଗତ ମେ ମାସ ୯ ତାରିଖରେ ସୁହାଗପୁର ଗ୍ରାମର କୈଳାଶ ଚନ୍ଦ୍ର ବରାଳଙ୍କ ପୁଅ ବିରଞ୍ଚି (୨୪)ଙ୍କ ସହିତ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ କନ୍ୟାଘର ପକ୍ଷରୁ ନଗଦ ଦେଢଲକ୍ଷ ଟଙ୍କା, ୨୫ଗ୍ରାମ ସୁନା ଅଳଙ୍କାର ସମେତ ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଦିଆଯାଇଥିଲା। ତେବେ ବିବାହର ମାତ୍ର ୭ଦିନ ପରେ ସିନୁଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଗତ କାଲି ଶନିବାର ସଂନ୍ଧ୍ୟାରେ ହଠାତ୍‍ ଝିଅ ସିନୁର ମୃତ୍ୟୁ ଖବର ପାଇ ବାପଘର ଲୋକେ ସୁହାଗପୁର ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଝିଅକୁ ନପାଇ ସେମାନେ ମଙ୍ଗଳପୁର ଡାକ୍ତରଖାନାରେ ପହଞ୍ଚିବା ପରେ ସିନୁର ମୃତଦେହ ଦେଖିବାକୁ ପାଇଥିଲେ। ଅଧିକ ଯୌତୁକ ଦାବିରେ ବିବାହ ପରଠାରୁ ସିନୁଙ୍କୁ ମାଡ ମରାଯାଉଥିବା ବେଳେ ତାକୁ ତାର ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ ପ୍ରମୁଖ ହତ୍ୟା କରିଥିବା ନେଇ ଗୁରୁନାଥ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସଙ୍ଗିନ ଦଫାରେ ଏକ ହତ୍ୟା ମାମଲା ରୁଜୁ କରିଛି। ପୁରୀ ସାଇଣ୍ଟିଫିକ୍‍ ଟିମ୍‍ ସହ ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ଅଭିମନ୍ୟୁ ନାୟକ ସୁହାଗପୁର ସ୍ଥିତ ସିନୁଙ୍କ ଶ୍ୱଶୁର ଘରେ ଆଜି ବ୍ୟାପକ ତଦନ୍ତ କରିବା ସହ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚାନାମା କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଅଭିଯୁକ୍ତ ସ୍ୱାମୀ ବିରଞ୍ଚି ବରାଳ(୨୪)କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା ଚଳାଇଛି।

Comments are closed.