ସଂଶୟ ଦୂର ହେଉ

ଭାରତରେ ଏ ପର୍ଯ୍ୟନ୍ତ କରୋନା ଟିକାର କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖା ନଦେବା ଖୁସିର କଥା
ଶନିବାରଠାରୁ ଓଡ଼ିଶା ସମେତ ସମଗ୍ର ଦେଶରେ କରୋନା ମହାମାରୀ ବିରୋଧରେ ଅନ୍ତିମ ଲଢ଼େଇ ସ୍ବରୂପ ବିଶ୍ବର ବୃହତ୍ତମ ଟିକାକରଣ ଅଭିଯାନ ସଫଳତାର ସହ ଆରମ୍ଭ ହେବା ଖୁସିର କଥା। ପ୍ରଥମ ଦିନ ସମଗ୍ର ଦେଶର ୧,୯୧,୧୮୧ ଜଣ ଏବଂ ଓଡ଼ିଶାର ୧୩,୯୮୦ ଜଣ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଥିଲେ। ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲାରେ ଶହେ ପ୍ରତିଶତ ଟିକାଦାନ ହୋଇଛି। ଆଶ୍ବାସନାର କଥା ଯେ ଟିକା ନେବାପରେ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି ଓ ସେପରି କୌଣସି ଗୁରୁତର ଅଘଟଣ ଏ ପର୍ଯ୍ୟନ୍ତ ଘଟିନାହିଁ। ରାଜ୍ୟର କଟକ, ଢେଙ୍କାନାଳ ଓ ଗଜପତି ଜିଲାର ତିନି ଜଣଙ୍କଠାରେ ମୁଣ୍ଡ ବୁଲାଇହେବା, ଝାଳ ବାହାରିବା ଭଳି ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲେ ହେଁ ପରେ ସେମାନେ ସୁସ୍ଥ ହୋଇଯାଇଥିବା ଖୁସିର ବିଷୟ। ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ସେରମ୍‌ ଇନ୍‌ଷ୍ଟଚ୍ୟୁଟ୍‌ର ‘କୋଭିସିଲ୍ଡ’ର ୪ ଲକ୍ଷ ୮ ହଜାର ଓ ଭାରତ ବାଇଓଟେକ୍‌ର ‘କୋଭାକ୍ସିନ’ ୨୦ ହଜାର ଡୋଜ୍‌ ଆସିଥିବାବେଳେ ତାକୁ ୧ ଲକ୍ଷ ୯୨ ହଜାର କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବା ପାଇଁ ଯୋଜନା ରହିଛି।
ତେବେ କରୋନା ଟିକାକୁ ନେଇ ଲୋକଙ୍କ ମନ ଭିତରେ ଅଜଣା ଭୟ, ଆଶଙ୍କା ଓ ସନ୍ଦେହ ରହିଥିବାରୁ ତାକୁ ଦୂର କରାଯିବା ଅତି ଆବଶ୍ୟକ। ଏ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ପଦରେ ଥିବା ଡାକ୍ତରମାନେ ଉଦାହରଣ ସୃଷ୍ଟି କରି ନିଜେ ଟିକା ନେଇଛନ୍ତି। ଏହା ନିଶ୍ଚିତଭାବେ ଅନ୍ୟମାନଙ୍କ ମନରୁ ଭୟ ଦୂର କରିବାରେ ସହାୟକ ହେବ। ସମ୍ପୂର୍ଣ୍ଣ ରୂପେ ଭାରତୀୟ କମ୍ପାନୀ ଦ୍ବାରା ତିଆରି କୋଭାକ୍ସିନକୁ ନେଇ ଏ ପର୍ଯ୍ୟନ୍ତ କେବଳ ଜନସାଧାରଣ ନୁହନ୍ତି, ଡାକ୍ତରଙ୍କ ମନରେ ମଧ୍ୟ ଶଙ୍କା ଓ ସଂଶୟ ରହିଥିବା ଦେଖିବାକୁ ମିଳିଛି, ଯାହା ଦୁର୍ଭାଗ୍ୟଜନକ। ଶନିବାର ଦିଲ୍ଲୀର ରାମ ମନୋହର ଲୋହିଆ (ଆର୍‌ଏମ୍‌ଇ) ହସ୍‌ପିଟାଲର ଡାକ୍ତରମାନେ କୋଭାକ୍ସିନ ଟିକାର ତୃତୀୟ ତଥା ଚୂଡ଼ାନ୍ତ ମାନବ ପରୀକ୍ଷଣ ହୋଇନଥିବାରୁ ତା’ ଉପରେ ସେମାନଙ୍କର ଭରସା ନାହିଁ ବୋଲି କହି ତାହା ନେବାକୁ ମନା କରିଦେଇଥିଲେ। ଇତିମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପରୀକ୍ଷଣ ହୋଇଥିବା କୁହାଯାଉଛି, କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ ହୋଇନାହିଁ। ଏହି କାରଣରୁ ବିଶେଷଜ୍ଞମାନେ ମଧ୍ୟ ସଂଶୟ ପ୍ରକଟ କରିଛନ୍ତି। ଭାରତ ବାଇଓଟେକ୍‌ ପକ୍ଷରୁ ଏହାର ତଥ୍ୟ ସାର୍ବଜନୀନ କରାଯିବା ସହ ଅବିଳମ୍ବେ ସନ୍ଦେହ ମୋଚନ କରାଯିବା ଆବଶ୍ୟକ। ତେବେ ଆର୍‌ଏମ୍‌ଇ ହସ୍ପିଟାଲର ଅଧୀକ୍ଷକ ନିଜେ କୋଭାକ୍ସିନ ଟିକା ନେଇ ଅନ୍ୟର ମନରୁ ଭୟ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି। ଲୋକଙ୍କ ମନରୁ ଶଙ୍କା ଦୂର ନିମନ୍ତେ ଏପରି ସକାରାତ୍ମକ ପଦକ୍ଷେପ ଆବଶ୍ୟକ। ଅନ୍ୟପକ୍ଷରେ ଯେଉଁ ଡିଜିଟାଲ୍‌ ପ୍ଲାଟଫର୍ମ ‘କୋ-ୱିନ’ ଜରିଆରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେଥିରେ ପ୍ରଥମ ଦିନରୁ ହିଁ ତ୍ରୁଟିବିଚ୍ୟୁତି ଦେଖାଦେଇଛି। ଏହି କାରଣରୁ ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ ଟିକାକରଣକୁ ସାମୟିକ ସ୍ଥଗିତ ରଖିବାକୁ ପଡ଼ିଛି। ପୂର୍ବରୁ ଏହା ଆଶଙ୍କା କରାଯାଉଥିଲା ଏବଂ ଡ୍ରାଏ ରନ୍‌ବେଳେ ମଧ୍ୟ ଏହି ସମସ୍ୟା ଦେଖାଦେଇଥିଲା। ସରକାର ଏହାର ସମାଧାନ କରିବାରେ ବିଫଳ ହୋଇଥିବା ମନେହୁଏ। ଏପରି ହେଲେ ଟିକାଦାନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ନିଶ୍ଚିତ। ‘ଡିଜିଟାଲ୍‌ ଇଣ୍ଡିଆ’ ନାରା ଦିଆଯାଉଥିବା ଭାରତରେ ଏକ ଜାତୀୟ ଡିଜିଟାଲ୍‌ ପ୍ଲାଟଫର୍ମକୁ ସୁଧାରି ନ ପାରିବା ବଡ଼ ବିଡ଼ମ୍ବନା।
କରୋନା ଟିକାକୁ ନେଇ ଭାରତ ଆଶ୍ବସ୍ତ ହୋଇଥିଲେ ହେଁ ନର୍‌ୱେ ଭଳି ଦେଶରେ ଏହା ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି; କାରଣ ସେଠାରେ ଫାଇଜର୍ ଟିକା ନେଇଥିବା ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଟିକାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୃତକମାନଙ୍କ ବୟସ ପ୍ରାୟ ୮୦ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ବ ବୋଲି ଘଟଣାର ତଦନ୍ତକାରୀ ଅଧିକାରୀ କହିଛନ୍ତି। ଫାଇଜର୍‌ ଟିକା ବୟସ୍କ ଓ ରୋଗୀଙ୍କ କ୍ଷେତ୍ରରେ ସୁରକ୍ଷିତ ନୁହେଁ ବୋଲି ନରୱେର ସ୍ବାସ୍ଥ୍ୟବିଭାଗ ଘୋଷଣା କରିବା ସହ ଟିକାକରଣ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ତେବେ ଜନସାଧାରଣଙ୍କୁ ଟିକା ନେବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ୭୮ ବର୍ଷୀୟ ଜୋ ବାଇଡେନ ଡିସେମ୍ବର ୨୧ରେ ଫାଇଜର୍‌ ଟିକା ନେଇଥିଲେ ଓ ଚଳିତ ସପ୍ତାହରେ ସେ ଦ୍ବିତୀୟ ଡୋଜ୍‌ ଟିକା ନେବେ ବୋଲି ଜଣାପଡ଼ିଛି। ଆମେରିକାର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଫାଇଜର୍‌ ଟିକା ନେଇସାରିଛନ୍ତି। ତେଣୁ ନରୱେରେ କିଭଳି ଏପରି ଅଘଟଣ ଘଟିଲା, ତାହାର ଭଲଭାବେ ତଦନ୍ତ ଓ ତର୍ଜମା ହେବା ଦରକାର। ଫାଇଜର୍‌ ଟିକାର ନିର୍ମାତା ‘ଫାଇଜର୍‌ ବାୟେଏନ୍‌ଟେକ୍‌’ ମଧ୍ୟ ଏହାର ସ୍ବତନ୍ତ୍ର ଅନୁଧ୍ୟାନ କରାଇବା ସହ ତା’ର କାରଣ ଖୋଜିବା ନିହାତି ଜରୁରୀ। ଆମେ ଆଶା କରିବା ଯେ ପୃଥିବୀର ଆଉ କେଉଁଠି ଏପରି ଅଘଟଣ ନ ଘଟୁ। କରୋନା ଟିକା ଏ ମହାମାରୀକୁ ସମୂଳେ ବିନାଶ କରିବାରେ ସହାୟକ ହେଉ।

Comments are closed.