କର୍ମୀଙ୍କୁ ରାହୁଲଙ୍କ ଆଶ୍ୱାସନା – ନିରୁତ୍ସାହିତ ହୁଅନି

ନୂଆଦିଲ୍ଲୀ: ଭୋଟ ଗଣତିକୁ ଆଉ କିଛି ସମୟ ବାକି ଥିବା ବେଳେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଶ୍ୱାସନା ବାଣୀ ଶୁଣାଇଛନ୍ତି। ରାହୁଲ ଦଳୀୟ କର୍ମୀମାନଙ୍କୁ କହିଛନ୍ତି, ମିଛ ଏକଜିଟ ପୋଲରେ ନିରୁତ୍ସାହିତ ହୁଅନି, ସତର୍କ ଏବଂ ଜାଗ୍ରତ ରୁହ। ଇଭିଏମ ଟାମ୍ପରିଙ୍ଗ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କୁ ଭୋଟ ଗଣନା ସମୟରେ ପାରଦର୍ଶିତା ସୁନିଶ୍ଚିତ ପାଇଁ କହିବା ପରେ ରାହୁଲ ଦଳୀୟ କର୍ମୀମାନଙ୍କୁ ଏହା କହିଛନ୍ତି। ନିଜ ଉପରେ ତଥା ଦଳ ଉପରେ ଭରସା ରଖିବାକୁ ସେ କର୍ମୀମାନଙ୍କୁ କହିଛନ୍ତି।

ରାହୁଲ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଭୟ କରନି, ସତର୍କ ଏବଂ ଜାଗ୍ରତ ରୁହନ୍ତୁ। ଆପଣମାନେ ସତ୍ୟର ଲଢେଇରେ ସାମିଲ ହୋଇଛନ୍ତି। ମିଥ୍ୟା ଏକଜିଟ ପୋଲ ନେଇ ନିରୁତ୍ସାହିତ ହେବ ଉଚିତ ନୁହେଁ, ନିଜ ଉପରେ ତଥା ଦଳ ଉପରେ ଭରସା ରଖନ୍ତୁ। ଆପଣଙ୍କ ପରିଶ୍ରମ ବୃଥା ଯିବନାହିଁ। ଜୟ ହିନ୍ଦ। ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦଳର କର୍ମୀମାନଙ୍କୁ ଗୁଜବରେ ବିଶ୍ୱାସ ନ କରିବା ପାଇଁ କହିଥିଲେ।

ସୂଚନାଯୋଗ୍ୟ ଯେ ଅଧିକାଂଶ ଏକଜିଟ ପୋଲ ଫଳାଫଳ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସପକ୍ଷରେ ଯାଇଥିବା ବେଳେ ୟୁପିଏ ବହୁତ ପଛରେ ରହିଛି।

Comments are closed.