ଅଜଣା ସୂତ୍ରରୁ ଦଳୀୟ ପାଣ୍ଠିକୁ ଚାନ୍ଦା : ବିଜେଡି ପାଇଛି ୫୦.୫ କୋଟି

ହାଇଦ୍ରାବାଦ : ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁରେ ସକ୍ରିୟ ଥିବା ଆଞ୍ଚଳିକ ରାଜନୀତିକ ଦଳ ଗୁଡ଼ିକ ମୋଟା ଅଙ୍କର ଦଳୀୟ ଚାନ୍ଦା ଅଜଣା ସୂତ୍ରରୁ ପାଇଛନ୍ତି। ୨୦୧୯-୨୦ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‌), ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଶାସକ ଦଳ ଯୁବଜନ ଶ୍ରମିକ ରୟତୁ କଂଗ୍ରେସ ପାର୍ଟି (ୱାଇଏସ୍‌ଆରସି) ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସକ ବିଜୁ ଜନତା ଦଳ(ବିଜେଡି), ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ଙ୍କ ଦାବ୍ରିଡ ମୁନେତ୍ରୋ କାଜଖମ୍‌ (ଡିଏମକେ) ଭଳି ପ୍ରମୁଖ ଆଞ୍ଚଳିକ ଦଳ ଗୁଡିକ ସେମାନଙ୍କ ମୋଟ ଆୟରୁ ଅଧିକାଂଶ ଅର୍ଥ ଅଜଣା ସୂତ୍ରରୁ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ରିପୋର୍ଟ ଦେଇଛି। ଏଡିଆର ତା’ ରିପୋର୍ଟରେ କହିଛି ଯେ ଦେଶରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ୨୦୧୯-୨୦ରେ ଅଜଣା ସୂତ୍ରରୁ ମୋଟ ୪୪୬ କୋଟି ଟଙ୍କା ପାଇଛନ୍ତି। ଏହା ସେମାନଙ୍କ ମୋଟ ଆୟର ୫୫%। ୨୦୧୯-୨୦ ଆର୍ଥିକ ବର୍ଷରେ ୨୫ଟି ଆଞ୍ଚଳିକ ଦଳର ମୋଟ ଆୟ ୮୦୩ କୋଟି ରହିଥିବା ଏଡିଆର ପକ୍ଷରୁ ଦର୍ଶାଯାଇଛି। ତେବେ
ଏହି ଅଜଣା ସୂତ୍ରରୁ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍‌କୁ ସର୍ବାଧିକ ୮୯ କୋଟି ଟଙ୍କାର ଦଳୀୟ ଚାନ୍ଦା ମିଳିଥିବାବେଳେ ଏହା ପଛକୁ ରହିଛି ଆନ୍ଧ୍ରର ମୁଖ୍ୟ ବିରୋଧୀ ଚନ୍ଦ୍ରବାବୁଙ୍କ ଦଳ ଟିଡିପିକୁ ଆସିଛି ୮୧.୬ କୋଟି ଟଙ୍କା। ଆନ୍ଧ୍ର ପ୍ରଦେଶ ଜଗନଙ୍କ ୱାଇଆରଏସ୍ କଂଗ୍ରେସ ଦଳକୁ ୭୪.୭ କୋଟି ଟଙ୍କା ମିଳିଛି। ସେହିଭଳି ଓଡ଼ିଶାରେ କ୍ଷମତାସୀନ ନବୀନଙ୍କ ବିଜେଡିକୁ ଅଜଣା ସୂତ୍ରରୁ ମିଳିଛି ୫୦ କୋଟି ୫୦ ଲକ୍ଷ ଟଙ୍କା। ସେହିପରି ତାମିଲନାଡୁରେ କ୍ଷମତାରେ ଥିବା ଏମ.କେ ଷ୍ଟାଲିନଙ୍କ ଶାସକ ଡିଏମକେ ଅଜଣା ସୂତ୍ରରୁ ୪୫.୫ କୋଟି ଟଙ୍କା ହାସଲ କରିଛି। ଆଞ୍ଚଳିକ ଦଳ ଗୁଡ଼ିକର ଆୟକର ଦାଖଲ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରୁଥିବା ଦଳୀୟ ଚାନ୍ଦା ବା ସହାୟତା ଅର୍ଥ ସଂକ୍ରାନ୍ତ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଏଡିଆର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରାଜନୀତିକ ଦଳ ଗୁଡ଼ିକ ୨୦ ହଜାର ଟଙ୍କାରୁ କମ୍‌ ଅର୍ଥ ଦାନ କରୁଥିବା ଲୋକ କିମ୍ବା ଅନୁଷ୍ଠାନର ନାଁ ସାର୍ବଜନୀନ ନକଲେ ଚଳିବ ବୋଲି ସଂପ୍ରତି ନିୟମ ରହିଛି। ଏହାର ଅର୍ଥ ହେଉଛି, ଦଳୀୟ ପାଣ୍ଠିକୁ କେଉଁଠୁ ଅର୍ଥ ଆସୁଛି, ସେକଥା ସାର୍ବଜନୀନ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ତେଣୁ ଦଳର ଖାତାକୁ ଆସୁଥିବା ମୋଟା ଅଙ୍କର ଅର୍ଥ ଅଜଣା ସୂତ୍ରରୁ ଆସିଥିବା କୁହାଯାଉଛି।
ଏଡିଆର କହିଛି, ଦେଶରେ ପ୍ରାୟ ୫୩ଟି ଆଞ୍ଚଳିକ ଦଳ ମଧ୍ୟରୁ କେବଳ ୨୮ଟି ସେମାନଙ୍କର ଉଭୟ ବାର୍ଷିକ ହିସାବ ସମୀକ୍ଷା ବିବରଣୀ (ଅଡିଟ୍‌ ରିପୋର୍ଟ) ଓ ଆର୍ଥିକ ସହାୟତା ଅର୍ଥ ସଂକ୍ରାନ୍ତ ବିବରଣୀ ଦାଖଲ କରିଛନ୍ତି। ୧୬ଟି ଦଳ ଏହି ଦୁଇ ବିବରଣୀ ମଧ୍ୟରୁ କେବଳ ଯେକୌଣସି ଗୋଟିଏ ରିପୋର୍ଟ ଦାଖଲ କରିଛନ୍ତି। ସେହିପରି ୯ଟି ରାଜନୀତିକ ଦଳ କୌଣସି ବିବରଣୀ ପ୍ରଦାନ କରି ନଥିବା ଏଡିଆର ତଥ୍ୟରୁ ଜଣାପଡିଛି।

Comments are closed.