ମୃତ୍ୟୁ ପରେ ଶରୀର ଦାନ କରିବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ। ସୋମବାର ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି। ଆଜି ସକାଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ।
ପ୍ରକାଶ ଥାଉକି, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଛନ୍ତି ଏବଂ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ଲୋକସଭା ବା ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି।
ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବାକୁ ଆଜି ତାଙ୍କର ଜନ୍ମ ଦିବସ ଅବସରରେ ଏହି ନିଃସ୍ୱାର୍ଥପର ନିଷ୍ପତ୍ତି ମାନବୀୟ ମୂଲ୍ୟବୋଧର ପରିଚାୟ ବୋଲି ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତ ସମୟରେ ନିମାପଡା ଶହୀଦ ସଂସଦର ସଂପାଦକ ଶ୍ରୀ ବେଣୁଧର ସେନାପତି ମଧ୍ୟ ଉପସ୍ଥିତ ଥିଲେ।