ପାରିବାରିକ ହିଂସା: ପତ୍ନୀ ବର୍ଷାଙ୍କ ଅଭିଯୋଗ ଆଧାରରେ ସାଂସଦ ଅନୁଭବଙ୍କ ବିରୋଧରେ ମାମଲା ରୁଜୁ

କଟକ: ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮ଏ, ୩୪୧ ଓ ୫୦୬ ଅନୁସାରେ ମାମଲା ରୁଜୁ ହୋଇଛି ।

ପୁଲିସ ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଅନୁସାରେ ଅନୁଭବ ଓ ତାଙ୍କର ଦୁଇ ବନ୍ଧୁ ଡ଼ିସେମ୍ବର ୧୮ ତାରିଖ ରାତିରେ କଟକ ନନ୍ଦୀସାହିରେ ଥିବା ତାଙ୍କ କୋଠରୀରେ ତାଲା ପକାଇ ଦେଇଥିଲେ । ଏହି ସମୟରେ ସେ ବାହାରକୁ ଯାଇଥିଲେ । ମାତ୍ର କୋଠରୀରେ ତାଲା ପକାଇ ଦିଆଯାଇଥିବାରୁ ସେ ବାହାରେ ଘଣ୍ଟାଘଣ୍ଟା ଠିଆ ହୋଇ ରହିଥିଲେ । ଅନୁଭବ ସେ ରହୁଥିବା କୋଠରୀର ଗୋଟିଏ ଚାବି ତାଙ୍କୁ ଦେବା ପାଇଁ କହିଥିଲେ, ମାତ୍ର ସେ ରାଜି ନ ହେବାରୁ ବାହାରୁ ତାଙ୍କ କୋଠରୀର ଚାବି ପକାଇ ଦେଇଥିଲେ । ସେ (ଅନୁଭବ) ଗୋଟିଏ ଚାବି ରଖିଥିବାବେଳେ ଅନ୍ୟ ଏକ ଚାବି ସୁରକ୍ଷା କର୍ମୀଙ୍କୁ ଦେଇଥିବା ବର୍ଷା ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ବର୍ଷା ମଧ୍ୟ ତାଙ୍କ ସ୍ବାମୀ ଅନୁଭବଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଥିଲେ । ଅନୁଭବ ତାଙ୍କ ଚରିତ୍ରସଂହାର କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଥିଲେ । ସୋସିଆଲ ମିଡ଼ିଆରେ କିଛି ପ୍ରସଙ୍ଗକୁ ଉଲ୍ଲେଖ କରି ଏ ନେଇ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୭ ତାରିଖରେ ବର୍ଷା କଟକ କଟକ ସବ୍-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (SJDM) କୋର୍ଟରେ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ; ଯେଉଁଥିରେ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା ।

ବର୍ଷାଙ୍କ ମାମଲା ରୁଜୁ ପୂର୍ବରୁ ଅନୁଭବ ଜୁଲାଇ ୬ ତାରିଖରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ଲାଗି ଆବେଦନ କରିଥିଲେ । ଏହାକୁ ବର୍ଷା ବିରୋଧ କରିବା ସହ ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ସେପ୍ଟେମ୍ବର ୧୯ ତାରିଖରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଅନ୍ୟପକ୍ଷରେ ସାଂସଦ ଅନୁଭବ ରାଜ୍ୟ ପୁଲିସ ଡ଼ିଜିଙ୍କୁ ଚିଠି ଲେଖି ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଭଉଣୀମାନଙ୍କ ମଧ୍ୟରେ କଥୋପକଥନର ଏକ ଅଡ଼ିଓ ସିଡ଼ି ମଧ୍ୟ ଅନୁଭବ ଡ଼ିଜିଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି ।

Comments are closed.