ମାନିବକତା ବଞ୍ଚିଛି

ସମସ୍ତେ ସ୍ବାର୍ଥପର, କାମ ପଡ଼ିଲେ ଆମେ ସାଙ୍ଗସାଥିଙ୍କୁ ଖୋଜୁ, ଏଭଳି କଥା ପ୍ରତ୍ୟେକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଭଲ ଲୋକଙ୍କ ଭିଡ଼ ଏବେ ମଧ୍ୟ ଦେଖିବାକୁ ମିଳୁଛି, ଇସ୍ତାନ୍‌ବୁଲ୍‌ର ଏଇ ଘଟଣାକ୍ରମ ଜାଣିଲେ ପାଠକ ହୃଦୟଙ୍ଗମ କରିବେ ନିଶ୍ଚିତ। ୨୦୧୭ରେ ଇସ୍ତାନବୁଲ୍‌ର ବାକିର୍‌କୟ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ହେବା ସହ ତୁଷାରପାତ ମଧ୍ୟ ହେଲା। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା, ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଲୋକଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଗଲା। ମଣିଷମାନେ ଘରର ଚାରିକାନ୍ଥରେ ସୁରକ୍ଷିତ ରହିବାବେଳେ ପଶୁପକ୍ଷୀଙ୍କ ଜୀବନ ବ୍ୟଥିତ ହେଲା। ଏ ଦିଗ ପ୍ରତି ପ୍ରଥମେ ଲୋକଙ୍କୁ ସଚେତନ କରାଇଲେ ସେଠାକାର ଜଣେ ଶିଳ୍ପପତି, ବୁଲା କୁକୁର, ବିଲେଇଙ୍କ ଅବସ୍ଥା ଦେଖି ସେ ବ୍ୟସ୍ତ ହେବା ସହ ତୁରନ୍ତ ପଦକ୍ଷେପ ନେବାରେ ହେଳା କରିନଥିଲେ। ଶିଳ୍ପପତିଙ୍କର ‘ଅଟ୍ରିୟମ୍’ ନାମରେ ଏକ ବଡ଼ ମଲ୍ ଥିବାରୁ ବନ୍ଦୋବସ୍ତ ସେଇଠାରେ ହିଁ ହେଲା। ତୁଷାରପାତ ଓ ତାପମାତ୍ରା ନ କମିବା ପର୍ଯ୍ୟନ୍ତ ବୁଲା କୁକୁରଙ୍କୁ ମଲ୍‌୍ରେ ଖାଦ୍ୟପାନୀୟ ସହ ଛୋଟ କମ୍ବଳ ଘୋଡ଼ାଇହେବାର ବ୍ୟବସ୍ଥା କରାଗଲା। ଏଇ ବୁଲା କୁକୁରଙ୍କ ଦାୟିତ୍ବ ମଲ୍‌ର ସୁରକ୍ଷାକର୍ମୀଙ୍କୁ ଦିଆଗଲା। ସେବେଠାରୁ ପ୍ରତି ବର୍ଷ ଶୀତରେ ଏହି ମଲ୍୍ରେ ବୁଲା କୁକୁର, ବିଲେଇଙ୍କୁ ସୁବିଧା ମିଳୁଛି। ଏପରିକି କରୋନା ମହାମାରୀ କାରଣରୁ ଇସ୍ତାନବୁଲ୍ ଲକ୍-ଡାଉନ୍ ସମୟରେ ମଧ୍ୟ ମଲ୍ ତରଫରୁ ଅସହାୟ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟପାନୀୟ ମାଗଣାରେ ବନ୍ଦୋବସ୍ତ କରାଯାଇଥିଲା। ଏସବୁ ଘଟଣାକୁ ଅନୁଧ୍ୟାନ କଲେ ସହଜରେ ଅନୁଭବ କରିହୁଏ, ମାନବିକତା ସତରେ ବଞ୍ଚିଛି। n

Comments are closed.