ସଲମନଙ୍କ ‘ରାଧେ’ ଚଳଚ୍ଚିତ୍ରର ସିଟି ମାର୍‍ ଗୀତରେ ନାଚିଲେ ଡାକ୍ତରୀଦଳ

ମୁମ୍ବଇ: ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜନିତ ଭୟାବହ ପରିସ୍ଥିତିରେ ଡାକ୍ତର ଓ ସେବିକାମାନେ ଦେବଦୂତ ଭାବରେ ବିବେଚିତ ହେଉଥିବାବେଳେ ସେମାନଙ୍କୁ ଦିନରାତି ଡାକ୍ତରଖାନାଗୁଡିକରେ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଛି। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଖାଇବା, ବିଶ୍ରାମ ନେବାକୁ ମଧ୍ୟ ଫୁରସତ ମିଳୁନାହିଁ। ଯଥେଷ୍ଟ ଚାପରେ ରହି କାମ କରୁଥିବା ଡାକ୍ତର ଓ ସେବିକାମାନେ ସେମାନଙ୍କ କାର୍ଯ୍ୟସ୍ଥଳରେ ମାନସିକ ସ୍ଥିରତା ଆଣିବା ପାଇଁ ବିଭିନ୍ନ ସମୟରେ ଯୋଗାଭ୍ୟାସ ସହିତ କିଛି ମନୋରଂଜନ କରୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ ଦେଶର ଏକ ଡାକ୍ତରଖାନାରେ କିଛି ଡାକ୍ତର ଏକ ଚଳଚ୍ଚିତ୍ର ଗୀତରେ ନୃତ୍ୟ କରୁଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବାରେ ଲାଗିଛି।
ବଲିଉଡ ଅଭିନେତା ସଲମନ ଖାନଙ୍କ ଅଭିନୀତ ‘ରାଧେ’ ଚଳିତ ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିଛି। ଏଥିରେ ଥିବା ଏକ ଗୀତ ‘ସିଟି ମାର୍‍’ ଦର୍ଶକଙ୍କ ମନକୁ ବେଶ୍‍ ପାଇଥିବାବେଳେ ସେହି ଗୀତର ତାଳେତାଳେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ସେମାନଙ୍କ ୟୁନିଫର୍ମରେ ଡାକ୍ତରଖାନା ବାରଣ୍ଡାରେ ନାଚୁଥିବା ଦେଖିବାକୁ ମିଳିଛି। କମାଲ ଖାନ୍‍ ଏବଂ ଲୁଲିଆ ଭଣ୍ଟୁର ଏହି ଗୀତ ଗାଇଥିବାବେଳେ ସଂଗୀତ ସଂଯୋଜନା କରିଛନ୍ତି ରକଷ୍ଟାର ଡିଏସପି (ଦେବୀ ଶ୍ରୀ ପ୍ରସାଦ)। ପ୍ରଭୁ ଦେବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶକରି ଅଭିନେତ୍ରୀ ଦିଶା ପଟାନି କହିଛନ୍ତି, ଡାକ୍ତରମାନେ ହେଉଛନ୍ତି ପ୍ରକୃତ ହିରୋ। ସେମାନେ ରୋଗୀଙ୍କ ସେବାରେ ଦିନରାତି ଏକ କରିଦେଉଥିବାବେଳେ ଏଭଳି ସାମୟିକ ମନୋରଂଜନ ସେମାନଙ୍କ ଭାରାକ୍ରାନ୍ତ ମନକୁ ଟିକେ ହାଲୁକା କରିବା ବୋଲି ଦିଶା କହିଛନ୍ତି। ତେବେ ଦେଶର କେଉଁ ଡାକ୍ତରଖାନାରେ ଏହା ହୋଇଛି, ତାହା ସ୍ପଷ୍ଟଭାବେ ଜଣାପଡିନାହିଁ।

Comments are closed.