ସିସିସିରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଡିଏମ୍ଇଟି ୨ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ, କାଗଜପତ୍ର ଛାନବିନ ସହ ପଚରା ଉଚୁରା

ବଲାଙ୍ଗିର: ବିଧାନସଭାରେ ବଲାଙ୍ଗିର ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ବେଳେ ସଦର ବିଧାୟକ ନରସିଂହ ମିଶ୍ର ଲାଲଟିକ୍ରା ସିସିସିରେ ଘଟିଥିବା ମହିଳାଙ୍କ ଦୁଷ୍କର୍ମ ମାମଲା ଉଠାଇଥିଲେ। ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ମାମଲାକୁ ଖାମଖିଆଲି ଭାବେ ନେଇଥିବା ଦର୍ଶାଇଥିଲେ। ସରକାର ତତ୍ପରତା ଦେଖାଇ ନଥିଲେ। କେବଳ ବିଧାନସଭାରେ ପ୍ରସଙ୍ଗ ଆଲୋଚନାକୁ ଆସିଥିବାରୁ ଡାକ୍ତରଙ୍କୁ କଣ୍ଟାବାଞ୍ଜି ବଦଳି କରିଦିଆଗଲା। ଗତ ଶୀତ ଅଧିବେଶନରେ ରାଜ୍ୟ ସରକାର ଦଳିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ ଡିଏମ୍ଇଟିକୁ ଦେଇଥିଲେ। ୨ଜଣିଆ ଟିମ୍ ଆସି ଯାଞ୍ଚ କରିବେ ବୋଲି ସୂଚନା ମିଳିଥିଲା। ଆଜି ଡିଏମ୍ଇଟିର ନିର୍ଦେଶରେ କଟକ ଏସ୍‌ସିବିର ଉପାଧ୍ୟକ୍ଷ ଡା.ବନବିହାରୀ ମିଶ୍ର ତଥା ସହକାରୀ ପ୍ରଫେସର ନିର୍ମଳ ମହାପାତ୍ର ମଙ୍ଗଳବାର ବଲାଙ୍ଗିର ଆସିଛନ୍ତି। ପ୍ରଥମେ ଡା.ମିଶ୍ର ଓ ଡା.ମହାପାତ୍ର ବଲାଙ୍ଗିର ସିଡିଏମ୍ଓ ଡା.ଭୀମ ସାହୁଙ୍କୁ ପ୍ରକୋଷ୍ଠକୁ ଯାଇଥିଲେ। ଘଟଣା ସମୟରେ ସିସିସିର ଦାୟିତ୍ୱରେ ଥିବା ଡା.ଗିରିଜା ଶଙ୍କର ଉଦ୍ଗାତାଙ୍କ ବୟାନ ରେକର୍ଡ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ଟିମ୍ ମହିଳା ଭର୍ତ୍ତି ହେବାର ତଥ୍ୟ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ମଗାଇବା ସହ ଯାଞ୍ଚ କରିଥିଲେ ସେମାନେ। ସେହିପରି ଅଭିଯୁକ୍ତ ଡା.ମିଶ୍ର, ପୀଡ଼ିତା ମହିଳାଙ୍କ ସହ ପୁଲିସ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଘଟଣା ସଂପର୍କରେ କୌଣସି ଅଭିଯୋଗ ହୋଇ ନଥିବା ଜଣେ ଡାକ୍ତରଙ୍କ ବୟାନ ରେକର୍ଡରୁ ଜଣାପଡିଛି।

ପ୍ରଥମରୁ ଦଳିତ ମହିଳାଙ୍କ ଦୁଷ୍କର୍ମ ମାମଲାକୁ ରଫାଦଫା କରିବାକୁ ଷଡଯନ୍ତ୍ର ହୋଇଥିଲା। ଯାହା ଘଟଣା ଆରମ୍ଭରୁ ଜଳ ଜଳ କରି ଦେଖାଯାଉଛି। ନିଜେ ଘଟଣା ସଂପର୍କରେ ପ୍ରଥମେ ଡାକ୍ତର ସ୍ୱୀକାର କରୁଥିଲାବେଳେ ପରବର୍ତ୍ତୀ ସମୟରେ ଅସ୍ୱୀକାର କରିବା ପଛର କାରଣକୁ ନେଇ ବି ସନ୍ଦେହ ସୃଷ୍ଟି ହେଉଛି। ଡାକ୍ତରଙ୍କ ପଛରେ ବହୁ ବଡ ବଡିଆଙ୍କ ଆର୍ଶିବାଦ ସହ ପାରିବାରିକ ସଂପର୍କ ରହିଥିବାରୁ ଆତ୍ମ ସମ୍ମାନ ପାଇଁ ମାମଲାକୁ ରଫାଦଫା ଓ ମୁହଁ ବନ୍ଦ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ବି ଆସୁଛି। ଡିଏମ୍ଇଟି ତଦନ୍ତରେ ଆସିଥିବା ଡା.ମିଶ୍ର ଓ ଡା.ମହାପାତ୍ରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସୂଚନା ଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ବେହେରାପାଲି ଅଞ୍ଚଳର ଜଣେ ୩୫ ବର୍ଷୀୟା ଦଳିତ ମହିଳା ସଂକ୍ରମିତ ହୋଇ ଭର୍ତ୍ତି ହୋଇଥିଲେ। ସେଠାକାର ଜଣେ ଡାକ୍ତର ସଂକ୍ରମିତ ମହିଳାଙ୍କୁ ରାତିରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବା ସହ ମହିଳାଜଣଙ୍କ ଚିତ୍କାର କରିଥିଲେ। ଫଳରେ ଆଖପାଖରେ ଥିବା ଅନ୍ୟ ଚିକିତ୍ସାଧୀନ ସଂକ୍ରମିତଙ୍କ ସଂପର୍କୀୟ ସେଠାରେ ପହଞ୍ଚିଥିଲେ। ଘଟଣା ଜାଣିବା ପରେ ସେମାନେ ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଥିଲେ। ଟାଉନ୍ ଥାନା ପିସିଆର୍ ଯାଇ ମାଡ ଖାଇଥିବା ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ପୁଲିସରେ ଘଟଣା ସଂପର୍କରେ ମହିଳାଜଣକ ଅଭିଯୋଗ କରିଥିଲେ। ହେଲେ ତାଙ୍କ ଉପରେ ଚାପ ପକାଇ ମୋ ସହ କିଛି ହୋଇ ନାହିଁ ବୋଲି ପୁଲିସ ଲେଖାଇ ପୀଡ଼ିତାଙ୍କ ଦସ୍ତଖତ କରାଇ ନେଇଥିବା ଖୋଦ୍ ମହିଳାଜଣଙ୍କ ଅଭିଯୋଗ କରିଛନ୍ତି। ଆଉ ୧୫ ଦିନିଆ ସଙ୍ଗରୋଧ ଓ ଚିକିତ୍ସା ଛାଡି ମହିଳା ଜଣଙ୍କ ସିସିସିରୁ ଘରକୁ ପଳାଇ ଆସିଥିଲେ। ମାମଲାକୁ ଚପେଇ ଦେବାରେ ଡାକ୍ତରଙ୍କ ସଂପର୍କୀୟ ଓ ସାଥୀ, ସହଯୋଗୀମାନେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।

Comments are closed.