ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ରାତ୍ର ୯ଟାରେ ଉଠିଲା ମହାଦୀପ

କୋଭିଡ କଟକଣାରେ ସମ୍ପନ୍ନ ହେଲା ସମସ୍ତ ନୀତିକାନ୍ତି

ଆରଡି: ପବିତ୍ର ଦିପାବଳୀ ଉତ୍ସବ ଅବସରରେ ଗୁରୁବାର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ତଥା ରାତ୍ର ୯ଟାରେ ଉଠିଥିଲା ମହାଦୀପ। ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିରର ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ(ଶୟନ) ନୀତି କରାଯିବ। ପରେ ଦୀପାବଳୀ ନୀତି ନିମନ୍ତେ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ସଂଧ୍ୟାରେ ଦୀପଦାନ ଓ ଷୋଡଶ ଉପଚାରପୂଜା, ବଡଆଳତୀ ନୀତି ସରିବା ପରେ ରାତ୍ର ୮ଟାରେ ପାଳିଆ ସେବାୟତଙ୍କ ଦ୍ବାରା ମହାଦୀପ ପ୍ରସ୍ତୁତ କରାଯାଇ ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯିବା ପରେ ଘଣ୍ଟ, ଛତ୍ର, ଆଲଟ ଓ ସଂକୀର୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା। ଏହାପରେ ରାତ୍ର ୯ଟାରେ ମହାଦୀପ ମନ୍ଦିର ଚୂଡାକୁ ଉଠିଥିଲା। କୋଭିଡ କଟକଣା ବଳବତ୍ତର ରହିଥିବାରୁ ଦିନତମାମ ସମସ୍ତ ନୀତିକାନ୍ତି କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ କରିଥିଲେ ସେବାୟତମାନେ।

Comments are closed.