ଆଜି ଦୀପାବଳି – ଗାଁରୁ ସହର ଆଲୋକମୟ

ସମାଜ ପୋର୍ଟାଲ ଡେସ୍କ: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ଆରମ୍ଭ କରି ସହର ବଜାର ଚଳଚଞ୍ଚଳ ହୋଇଉଠିଛି। ଲଘୁଚାପ ନିଷ୍କ୍ରିୟ ହେବା ପରେ ପାଗ ଶୁଖିଲା ରହିଛି। ଫଳରେ ଦୀପାବଳିକୁ ଆନନ୍ଦ ଓ ଉଲ୍ଲାସ ସହକାରେ ପାଳନ କରିବା ନିମନ୍ତେ ସମସ୍ତେ ଲାଗି ପଡ଼ିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମା’ କାଳୀଙ୍କ ମୃଣ୍ମୟୀ ମୃତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଉଛି। ପୂଜାମଣ୍ଡପଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯିବା ସହ ବଡ଼ ବଡ଼ ତୋରଣମାନ କରାଯାଇଛି। ବାଣ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

କମିଶନରେଟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତି ଅନୁଯାୟୀ ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ଲାଗି ପରାମର୍ଶ ଜାରି କରାଯାଇଥିବାବେଳେ ଚାଇନା ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ସେହିପରି ୧୨୫ ଡେସିବଲ୍‍ରୁ ଅଧିକ ଶବ୍ଦର ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ହସ୍ପିଟାଲ୍‍ ଭଳି ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଇବା ଲାଗି ବାରଣ କରାଯାଇଛି। ଜରୁରୀ ପରିସ୍ଥିତିରେ ପୁଲିସ୍‍ କଣ୍ଟ୍ରୋଲ୍‍ ରୁମ୍‍ ଫୋନ୍‍ ନମ୍ବର ୧୦୦ କିମ୍ବା ଅଗ୍ନିଶମ ବିଭାଗ ନମ୍ବର ୧୦୧ରେ ଫୋନ୍‍ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି କୌଣସି ଅଘଟଣ ରୋକିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିବା ଜଣାପଡ଼ିଛି।

କଟକରେ ୫ଟି, ଭୁବନେଶ୍ୱରରେ ୩ଟି ଏବଂ ବରଗଡ଼, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରମାନ ଖୋଲାଯାଇଛି। ବିଭିନ୍ନ ଗଳିକନ୍ଦି ଏବଂ ଅଣଓସାରିଆ ଅଞ୍ଚଳ ଗୁଡ଼ିକରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବାଇକ୍‍ର ବ୍ୟବସ୍ଥା କରାଯାଇଛି। ଗତକାଲି କଟକ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଏବଂ କାଜିବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ୍‍ ବାଣ ଗୋଦାମଗୁଡ଼ିକୁ ଜବତ କରାଯାଇଛି। ଜବତ ବାଣର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି।

Comments are closed.