ଦୀପାବଳିରେ ଦିଲ୍ଲୀରେ ରକେଟ ଓ ବମ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ଚଳିତ ବର୍ଷର ଦୀପାବଳି ପୂର୍ବପରି ଯେମିତି କୋଳାହଳମୟ ନ ହେବ ସେଥିପାଇଁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି। ବ୍ୟାପକ ବାୟୁ ପ୍ରଦୂଷଣରୁ ଲୋକଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ସରକାର ବମ୍‌ କିମ୍ବା ରକେଟ ଓ ଅଧିକ ଶବ୍ଦ କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ଏଥିସହିତ କେବଳ ସରକାରୀ ଛାପ ଓ କ୍ୟୁଆର୍‌ କୋଡ ଥିବା ଫୋଟକା, ଅନାର ଓ ଫୁଲଝରି ବ୍ୟବହାର ପାଇଁ ନିର୍ଦେଶନାମା ଜାରି କରିଛନ୍ତି। ଅନାର ଓ ଫୁଲଝରି ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଗୋଟିଏ ବାକ୍ସରେ ୫୦ଟି ଫୁଲଝରି ବା ୫ଟି ଅନାର ଥିବ; ଯାହାର ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବାଣ (ସବୁଜ ଫୋଟକା) ଦ୍ବାରା ଅଧିକ ଶବ୍ଦ ହେବ ନାହିଁ; ତା’ଛଡ଼ା ୩୦ପ୍ରତିଶତ କମ୍‌ ପ୍ରଦୂଷଣ ହେବ ବୋଲି ସରକାର ଦାବି କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ସରକାର ଆଇନଗତ ଭାବେ ଏଭଳି ବାଣ ପ୍ରଚଳନ କରିଛନ୍ତି। ଗ୍ରାହକ ବାଣ କିଣିଲାବେଳେ ଦୋକାନରେ ସରକାରୀ ଛାପ ଓ କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦେବାକୁ ପୁଲିସ କହିଛି। ଯେଉଁ ଦୋକାନୀ ଉପରୋକ୍ତ ସର୍ତ୍ତ ବାହାରେ ଅନ୍ୟ ବାଣ ବିକିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସମୁଖପାତ୍ର ଏମ୍‌.ଏସ୍‌ ରାନ୍ଧୱା କହିଛନ୍ତି। ୨୦୧୬ରେ ତିନି ଛାତ୍ରଙ୍କ ଆବେଦନର ଶୁଣାଣି ପୂର୍ବକ ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବାକୁ ନିଷେଧ କରିଥିଲେ। ଗତ କିଛି ସପ୍ତାହ ଧରି ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ରହିଛି।

Comments are closed.