ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର

ରାତି ୮ରୁ୧୦ ପର୍ଯ୍ୟନ୍ତ ଫୁଟିବ ସବୁଜ ବାଣ

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି।  ଆଲୋକର ପର୍ବ ଦୀପାବଳି ପାଳନ ପାଇଁ  ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି। କରୋନା କଟକଣା ମଧ୍ୟରେ ଦୀପାବଳି ଉତ୍ସବ ପାଳିତ ହେଉଛି। ଘର ଭିତରେ ଦୀପ ସହ ପାରମ୍ପରିକ ପୂଜାଚ୍ଚର୍ନା କରି ରାଜ୍ୟରେ ଦୀପାବଳି ଉତ୍ସବ ପାଳିତ ହୋଇଛି। ଲୋକେ ଘର ଭିତରେ ଓ ବାହାରେ ଦୀପ ଜାଳିଥିବାବେଳେ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ଘରଗୁଡ଼ିକୁ ସାଜସଜ୍ଜା କରାଯାଇଛି। ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଦୀପାବଳି ପର୍ବ ପାଳନ ଆରମ୍ଭ ହୋଇଯାଇଛି । ସନ୍ଧ୍ୟାରେ ବାଣ ଫୁଟାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ବନବାସ ସାରି ପ୍ରଭୁ ଶ୍ରୀରାମ ଆଜି ଦିନରେ ଅଯୋଧ୍ୟକୁ ଫେରିଥିଲେ। ସେହି ସ୍ମୃତିକୁ ମନେ ପାଇବା ପାଇଁ ଆଜି ସାରାଦେଶରେ ପାଳିତ ହେଉଛି ଦୀପାବଳି ପର୍ବ। ଉତ୍ସାହ ଓ ଉଦ୍ଦିପନା ଭିତରେ ଦୀପାବଳି ପାଳନ ପାଇଁ ସମସ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି। ଦୀପାବଳି ଅବସରରେ କାଳିପୂଜା ବି ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ପାରମ୍ପରିକ ପୂଜାର୍ଚ୍ଚନା ସହ ଦେବୀଙ୍କୁ ଆବାହନ କରାଯାଇଛି।

 

ଚଳିତ ବର୍ଷ ରାଜ୍ୟରେ କେବଳ ଫୁଟିବ ସବୁଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି କେବଳ ସବୁଜ ବାଣକୁ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହାବ୍ୟତୀତ ଅନ୍ୟ କୌଣସି ବାଣକୁ ଲୋକମାନେ ଫୁଟାଇ ପାରିବେନି ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏଥିସହିତ ଦୀପାବଳି ଦିନ ଅର୍ଥାତ ଆଜି ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟିପାରିବ। ଏହି ସମୟ ବ୍ୟତୀତ ଅନ୍ୟ ମୁହୂର୍ତ୍ତରେ ବାଣ ଫୁଟିବ ନାହିଁ। ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି ତେବେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

କଟକଣା ଭିତରେ ପାର୍ବଣ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଦୁର୍ଗାପୂଜା ଲକ୍ଷ୍ମୀ ପୂଜା ଓ କାଳୀପୂଜା ପାଳନ କେମିତି ହେବ ସେନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲା ପ୍ରଶାସନର ଅନୁମତି ନେଇ ନିରାଡମ୍ବର ଭାବେ ପୂଜା କରିବା ପାଇଁ ନିୟମାବଳୀରେ ଦର୍ଶାଯାଇଛି। ଘର ଭିତରେ ପୂଜା ଭଳି ପୂଜା କରିବାକୁ କୁହାଯାଇଛି। କେବଳ ପାରମ୍ପାରିକ ରୀତନୀତି ପାଳନ ହେବ କିନ୍ତୁ ସେଥିରେ ସାଧାରଣ ଲୋକ ସାମିଲ ହୋଇ ପାରିବେ ନାହିଁ କିମ୍ବା ଆଡମ୍ବର ସହକାରେ ରୀତିନୀତି କରାଯାଇପାରିବ ନାହିଁ ।

Comments are closed.