ସ୍ୱର୍ଣ୍ଣାଭ ଇତିହାସକୁ ଫେରାଇ ଆଣିବାରେ ଆଲୋକବର୍ତ୍ତିକା ସାଜିବ ବୌଦ୍ଧ ସଂଗ୍ରହାଳୟ

ବୌଦ୍ଧ: ବୌଦ୍ଧ ଜିଲା ଗଠନର ୨୬ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧ ଜିଲା ସଂଗ୍ରହାଳୟ ଉଦଘାଟିତ ହୋଇଯାଇଛି। ବୌଦ୍ଧରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା ଦ୍ୱାରା ରାଜତନ୍ତ୍ର ସମୟ(୧୯୨୧)ରେ ନିର୍ମିତ କଚେରୀ କୋଠାକୁ କେବଳ ସଂରକ୍ଷଣ ନୁହେଁ ପ୍ରକୃତିରେ ହଜିସାରିଥିବା ବୌଦ୍ଧ ଗଡଜାତର ସ୍ୱର୍ଣ୍ଣାଭ ଇତିହାସକୁ ଲୋକଲୋଚନକୁ ଫେରାଇଆଣିବା ପାଇଁ ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ। ଗଡଜାତ ଶାସନରେ ବୌଦ୍ଧର ଶାସକ ରାଜାମାନେ ପ୍ରତିପତିଶାଳୀ ହେବା ସହିତ ଶିକ୍ଷା, କଳା, ସଂସ୍କୃତି, କ୍ରୀଡାର ପୃଷ୍ଠପୋଷକ ରହିଥିଲେ। ତତ୍କାଳୀନ ଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ରାୟପୁର ରାଜକୁମାର କଲେଜ ହେଉ କିମ୍ବା ବୌଦ୍ଧର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ରାଜା ଏହାର ମୁଖ୍ୟ ପୃଷ୍ଠପୋଷକ ଥିଲେ।

ଓଡ଼ିଆ ସାହିତ୍ୟର ପ୍ରମୁଖ ଗ୍ରନ୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରସ୍ତୁତି ପାଇଁ ବୌଦ୍ଧ ରାଜାଙ୍କ ସକ୍ରିୟ ସହଯୋଗ ରହିଥିଲା। ବୌଦ୍ଧ ରାଜାଙ୍କ ଦ୍ୱାରା ସ୍ଥାପିତ ଛାପାକଳ ସ୍ୱାଧୀନତା ପରେ ଏଠାରୁ କଟକ ସ୍ଥାନାନ୍ତର କରାଯାଇ ସରକାରୀ ପ୍ରେସ୍‌ର ମାନ୍ୟତା ପାଇଥିଲା। ସେହିପରି ଗନ୍ଧରାଢୀର ବିଶ୍ୱ ବିରଳ ହରିହର ମନ୍ଦିର, ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ରାମେଶ୍ୱର ମନ୍ଦିର ଓ କଣ୍ଟିଲୋ ନୀଳମାଧବ ମନ୍ଦିର ଆଦି ବୌଦ୍ଧ ଗଡଜାତର ଶାସକ ରାଜାମାନଙ୍କ ଅମର କିର୍ତ୍ତିରାଜୀ ଭାବରେ ଆଜି ମଧ୍ୟ ଦଣ୍ଡାୟମାନ। ପ୍ରତିପତ୍ତିଶାଳୀ ଯଯାତୀନଗରରୁ ବୌଦ୍ଧ, ବାରମ୍ବାର ରାଜଧାନୀ ପରିବର୍ତ୍ତନରେ ବୌଦ୍ଧର ଶାସକ ରାଜାମାନଙ୍କ ଅନେକ ବୀରତ୍ୱ ଓ କୀର୍ତ୍ତି ଆଜି ଇତିହାସର ଅନ୍ଧାର କୋଠରୀ ମଧ୍ୟରେ ହଜିସାରିଛି। ପ୍ରାୟ ତିନି ହଜାର ବର୍ଷର ଇତିହାସର ପ୍ରମାଣ ଧରି ରଖିଥିବା ବୌଦ୍ଧର ସ୍ୱାଭିମାନୀ ମାଟିକୁ ଆଜି ମଧ୍ୟ ଇତିହାସରେ ପ୍ରକୃତ ସ୍ଥାନ ମିଳିପାରିନାହିଁ। ତେଣୁ ଏହି ଐତିହାସିକ ସଂଗ୍ରହାଳୟ ପ୍ରତିଷ୍ଠା ଦ୍ୱାରା ଏହି ସବୁ ପ୍ରାଚୀନ ଇତିହାସର ନୂତନ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ବୌଦ୍ଧମାଟିର ହଜିଯାଇଥିବା ସ୍ୱର୍ଣ୍ଣାଭ ଇତିହାସକୁ ଫେରାଇଆଣିବାରେ ଆଲୋକବର୍ତ୍ତିକା ହେବ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୋଲି ଜିଲାବାସୀଙ୍କ ମନରେ ଆଶା ପ୍ରକାଶ ପାଇଛି।
ବୌଦ୍ଧ ଜିଲା ସଂଗ୍ରହାଳୟ ମଧ୍ୟରେ ରାଜାଙ୍କ ଶାସନ ସମୟର ଅନେକ ସ୍ମୃତିକୁ ସ୍ଥାନିତ କରାଯାଇଛି। ସେତେବେଳର ବ୍ୟବହୃତ ସାମଗ୍ରୀ ସହିତ ଲୋକକଳା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ଝଲକ ପର୍ଯ୍ୟଟକମାନଙ୍କ ପାଇଁ ସଂଗ୍ରହାଳୟ ମଧ୍ୟରେ ରଖାଯାଇଛି। ସେହିପରି ବୌଦ୍ଧ ଜିଲାର ପରିଚୟ ସୃଷ୍ଟି କରୁଥିବା ସାମଗ୍ରୀ, ବ୍ୟକ୍ତିବିଶେଷ, କଳା, କାରିଗରୀକୁ ମଧ୍ୟ ସଂଗ୍ରହାଳୟ ମଧ୍ୟରେ ସ୍ଥାନିତ କରାଯାଇଛି। ବୌଦ୍ଧର ଐତିହାସିକ ସଂଗ୍ରହାଳୟ ଆଜି ଜିଲା ତଥା ଜିଲା ବାହାରେ ମୁଖ୍ୟଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ଆଗାମୀ ପିଢୀ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସଂଗ୍ରହାଳୟ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାରେ ଲାଗିଛି।


ଉଦଘାଟନ ହେବା ଦିନଠାରୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଦର୍ଶକ ସଂଗ୍ରହାଳୟ ପରିଦର୍ଶନ କରୁଛନ୍ତି। ପ୍ରତ୍ୟେକ ସୋମବାର ଓ ସରକାରୀ ଛୁଟିଦିବସ ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ ୧୦.୩୦ ରୁ ଦିନ ୧.୩୦ ଏବଂ ଅପରାହ୍ଣ ୩ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ସଂଗ୍ରହାଳୟକୁ ଖୋଲା ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରାଚୀନ କୋଠାକୁ ସଂଗ୍ରହାଳୟର ରୂପ ଦେଇ ବଳିଷ୍ଠ ପଦକ୍ଷେପ ନେଇଥିବା ବୌଦ୍ଧର ଜିଲାପାଳ ଓ ତାଙ୍କର ସହଯୋଗୀ ଅଧିକାରୀମାନେ ମଧ୍ୟ ସର୍ବଦା ତାଙ୍କର ସ୍ମୃତି ବୌଦ୍ଧବାସୀଙ୍କ ମନରେ ଛାଡିଯିବେ ଏଥିରେ କୌଣସି ସନ୍ଦେହନାହିଁ।

ମତାମତ :

ପ୍ରଦୀପ କୁମାର ଅମାତ, ବିଧାୟକ, ବୌଦ୍ଧ: ବୌଦ୍ଧରେ ରାଜତନ୍ତ୍ର ସମୟ ୧୯୨୧ ମସିହାରେ ନିର୍ମିତ ପ୍ରାଚୀନ କଚେରୀ କୋଠାକୁ ସଂରକ୍ଷଣ ସହିତ ଏହି ସଂଗ୍ରହାଳୟ ପ୍ରତିଷ୍ଠା ଦ୍ୱାରା ବୌଦ୍ଧର ପ୍ରାଚୀନ ଇତିହାସ, ଲୋକକଳା,ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ କରି ରଖିବା ଓ ନିଜ ଅଞ୍ଚଳର ଗାରିମାମୟ ଇତିହାସକୁ ଜାଣିବା ପାଇଁ ପରପିଢୀ ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ପଶ୍ଚିମ ଓଡ଼ିଶାର ପ୍ରଥମ ଜିଲା ସଂଗ୍ରହାଳୟ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗ୍ରହାଳୟକୁ ଉଦଘାଟନ କରିଥିବାବେଳେ ଏହାକୁ ସରକାରୀ ମାନ୍ୟତା ପ୍ରଦାନ ସହିତ ଜିଲା ଓ ରାଜ୍ୟ ବାହାରେ ରହିଥିବା ବୌଦ୍ଧରୁ ସଂଗୃହୀତ ସାମଗ୍ରୀଗୁଡିକୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ।

ଲଲାଟେନ୍ଦୁ ମିଶ୍ର, ଜିଲାପାଳ, ବୌଦ୍ଧ: ଜିଲା ସଂଗ୍ରହାଳୟରେ ବୌଦ୍ଧ ଜିଲାର ଇତିହାସ, ସଂସ୍କୃତି, କଳା ଓ କାରିଗରୀକୁ ସଂରକ୍ଷିତ କରି ରଖାଯିବା ସହିତ ଏହା ଜିଲାର ଦର୍ପଣ ଭଳି କାର୍ଯ୍ୟ କରିବ। ସଂଗ୍ରହାଳୟ ଆଗାମୀ ପିଢୀକୁ ନିଜର ଗାରିମାମୟ ଅତୀତ ଜାଣିବାକୁ ସୁଯୋଗ ଦେବା ସହିତ ଭବିଷ୍ୟତ ପାଇଁ ପ୍ରେରଣା ଯୋଗଇବାରେ ସହାୟକ ହେବ। ଏହି ସଂଗ୍ରହାଳାୟର ବିକାଶ ଓ କଳେବର ବୃଦ୍ଧି ପାଇଁ ଜିଲାବାସୀଙ୍କ ପ୍ରଚେଷ୍ଟା ଜାରି ରହିଲେ ଇତିହାସ ପୃଷ୍ଠାରେ ଧୁମିଳ ପଡିଯାଇଥିବା ବୌଦ୍ଧ ଗଡଜାତର ପୂରାତନ ଇତିହାସ ସଂପର୍କରେ ଗବେଷଣା ପାଇଁ ଏହି ସଂଗ୍ରହାଳୟ ଖୋରାକ ଯୋଗାଇବା ସହିତ ବାହାର ଜିଲା, ରାଜ୍ୟ ଓ ଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ।

ବିଶ୍ୱେଶ୍ୱର ପୃଷ୍ଟି, ସଭାପତି ଜିଲ୍ଲା ସଂସ୍କୃତି ବିକାଶ ପରିଷଦ : ଇତିହାସ ଚିରକାଳ ମଉନ। ଏହାକୁ ମୁଖରିତ କରିବା ଦିଗରେ ସଂଗ୍ରହାଳୟ ପ୍ରମୁଖ ଭୂମିକା ବହନ କରିଥାଏ। ଜିଲା ପ୍ରଶାସନର ପ୍ରଚେଷ୍ଟା, ଜିଲାର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ବୌଦ୍ଧ ଜିଲା ସଂଗ୍ରହାଳୟକୁ ରୁଦ୍ଧିମନ୍ତ କରିଛି। ବର୍ତ୍ତମାନ ତଥା ଆସନ୍ତା ପିଢୀକୁ ଅଞ୍ଚଳର ଗୌରବମୟ ଗାଥା ମନେପକାଇବା ଦିଗରେ ଏବଂ ଗବେଷକମାନଙ୍କୁ ଗବେଷଣା ଦିଗରେ ଆଲୋକବର୍ତ୍ତିକା ଭାବରେ ଏହି ସଂଗ୍ରହାଳୟ କାର୍ଯ୍ୟ କରିବ।

ସତ୍ୟନାରାୟଣ ପାଣି, ଗବେଷକ: ବ୍ରିଟିଶ ରାଜତନ୍ତ୍ରରେ ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ କୋଠାକୁ ସଂଗ୍ରହାଳୟ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଅତୀତ ସ୍ମୃତି, ଜିଲ୍ଲା ତଥା ରାଜ୍ୟ ବାହାରେ ଥିବା ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ପାଖରୁ ଫେରାଇ ଅଣାଯାଇପାରିଲେ ବୌଦ୍ଧ ସଂଗ୍ରହାଳୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ। ଏଥିସହିତ ସଂଗୃହୀତ ଦରବାରୀ ଦସ୍ତାବିଜ,ପ୍ରାଚୀନ ପାଣ୍ଡୁଲିପି ପାଠ ଓ ଗବେଷଣା ସହିତ ପ୍ରକାଶନ ଦିଗରେ ଚେଷ୍ଟା କରାଗଲେ ହଜି ଯାଇଥିବା ବୌଦ୍ଧ ଅଂଚଳର ଇତିହାସ ଲୋକଲୋଚନକୁ ଆସିପାରିବ।

Comments are closed.