ବେଗୁନିଆରେ ଅସ୍ଥାୟୀ ଜେଏମଏଫସି ପରିଦର୍ଶନ କଲେ ଜିଲ୍ଲା ଜଜ୍ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆରେ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ଅସ୍ଥାୟୀ ଜେଏମଏଫସି ଅଟ୍ଟାଳିକା ଗୃହର ପାରିପାର୍ଶ୍ୱିକ ଅବସ୍ଥା ଏବଂ ଭିତ୍ତିଭୂମିକୁ ଜିଲ୍ଲା ଜଜ୍ ଏଲ ମହାପାତ୍ର ଆଜି ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ଲୋକମାନଙ୍କ ସୁବିଧା ପାଇଁ ଜିଲ୍ଲା ଜଜ୍ ଖୁବଶୀଘ୍ର ଏଠାରେ ଜେଏମଏଫସି କାର୍ଯ୍ୟକାରୀ କରିବାକୁ ଚାହୁଁଥିବାବେଳେ ସ୍ଥାନୀୟ ବିଡିଓଙ୍କର ଅସହଯୋଗ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ କୋର୍ଟର ସ୍ଥାୟୀ ଗୃହ ନଥିବା ଯୋଗୁଁ ତହସିଲ କାର୍ଯ୍ୟାଳୟ ଆଗରେ ଥିବା ପୁରୁଣା ମିନି ଆଇଟିଆଇ ଅଟ୍ଟାଳିକାରେ ଏହି କୋର୍ଟ ଅସ୍ଥାୟୀ ଭାବେ କାର୍ଯ୍ୟ ଆରମ୍ଭ କରିବ। କିନ୍ତୁ ଏହି ଅଟ୍ଟାଳିକାଟି ପୁରୁଣା ହୋଇଥିବାରୁ ଏବଂ ତାହାର ମରାମତି ପାଇଁ ଜିଲ୍ଲାଜଜ୍ ଙ୍କର ବାରମ୍ବାର ତାଗିଦ ସତ୍ତ୍ୱେ ବ୍ଲକ କର୍ତ୍ତୃପକ୍ଷ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ବିଡିଓ ଗୃହ ମରାମତି ନିମନ୍ତେ ଏଷ୍ଟିମେଟ ପ୍ରସ୍ତୁତ ନକରିବା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଫଳରେ କୋର୍ଟ ଶୀଘ୍ର କାର୍ଯ୍ୟକାରୀ ନହେବା ଯୋଗୁଁ ସେ ବିରକ୍ତି ପ୍ରକାଶ କରିଥିଲେ। ଅସ୍ଥାୟୀ ଭାବେ ଖୋଲିବାକୁ ଯାଉଥିବା ଜେଏମଏଫସି ଅଟ୍ଟାଳିକା ଗୃହକୁ ଦେଖି ସନ୍ତୋଷ ପ୍ରକାଶ କରିଥିବା ବେଳେ ବ୍ଲକ କର୍ତ୍ତୃପକ୍ଷଙ୍କର ଦାୟିତ୍ୱହୀନତାକୁ ନିନ୍ଦା କରିଥିଲେ। ପରେ ସେ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ତହସିଲ କାର୍ଯ୍ୟାଳୟର ସ୍ୱଚ୍ଛତା ଦେଖି ଜିଲ୍ଲାଜଜ୍ ଖୁସି ପ୍ରକଟ କରିବା ସହିତ ତହସିଲଦାର ଶ୍ରୀମଣ୍ଡଳଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Comments are closed.