ଭିନ୍ନକ୍ଷମ ତାଲିମ କେନ୍ଦ୍ର ଯାଞ୍ଚ କରିବ ଜିଲା ପ୍ରଶାସନ

ଭୁବନେଶ୍ୱର: ପଳାଶପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରାଯିବ। ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ସନତ କୁମାର ମହାନ୍ତି ତାଲିମ କେନ୍ଦ୍ରର ସମସ୍ତ ଜିନିଷକୁ ଯାଞ୍ଚକରି ସିଲ କରିବାକୁ ଉପଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଲିମକେନ୍ଦ୍ରର ତାଲା ଖୋଲି ସବୁ ଜିନିଷକୁ ମାଜିଷ୍ଟ୍ରେଟ ଓ ପୁଲିସ ହେପାଜତରେ ରଖାଯିବ। ସୋମବାର ଏହି କାର୍ଯ୍ୟକ୍ରମ ହେବା ନେଇ ଉପଜିଲାପାଳ କାର୍ଯ୍ୟାଳୟରୁ ମାଜିଷ୍ଟ୍ରେଟ ଓ ପୁଲିସକୁ ଚିଠି କରାଯାଇଛି।

ସୂଚନା ଯୋଗ୍ୟ, ଗତ ନଭେମ୍ବର ୨୫ତାରିଖରେ ତାଲିମ କେନ୍ଦ୍ରର ଜ‌େ‌‌ଣ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପାଦକ ସୁରେଶ ବେହେରା ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ। ଏପରିକି କେନ୍ଦ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖୁସି କରିବା ଲାଗି ବାହାରୁ ଝିଅ ମଗାଇ ସେଠାରେ ସେକ୍ସ ରାକେଟ୍‌ ଚଳାଉଥିଲେ। ଏଭଳି ଘଟଣାକୁ ପୁଲିସ ହାଲକା ଭାବେ ନେବା ପରେ ଅଭିଯୁକ୍ତ ସମ୍ପାଦକ ଫେରାର ହୋଇଯାଇଥିଲା। ଏହାପରେ ସମ୍ପାଦକଙ୍କ ଭିଡିଓ ଦୁଇମାସ ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏକାଧିକ ଅଭିଯୋଗ ହେବା ପରେ ପୁଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଗତ ୭ତାରଖରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ସୁରେଶଙ୍କ ସମେତ ଡିଏସଏସଓ କିରାଣିଙ୍କ ସହ ତାଲିମ କେନ୍ଦ୍ରରେ ଦୁଇଜଣ କର୍ମଚାରୀ ଏବଂ କଟକର ଦେହ କାରବାର‌େ‌ର ଯୁବତୀ ଯୋଗାଉଥିବା ରାଣୀ ମହୁମାଛି ଓ ଦଲାଲକୁ ପୁଲିସ ଗିରଫ କରିଥିଲା।

ଏନେଇ ପୂର୍ବରୁ ଅନ୍ତେବାସୀ ମୁଖ୍ୟମନ୍ତ୍ରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଜିଲାପାଳ ଘଟଣାକୁ ତଦନ୍ତ ଲାଗି ଉପଜିଲାପାଳଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ। ସେହିପରି ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଉକ୍ତ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସଏସଓ)ଙ୍କୁ ତଦନ୍ତ କରିବାକୁ କହିଥିଲେ। ସେହିପରି ଭିନ୍ନକ୍ଷମ ଓ ସଶକ୍ତିକରଣ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ ନିଜ ଆଡୁ ନ୍ୟାୟିକ ପରାମର୍ଶଦାତାଙ୍କ ସହ ତଦନ୍ତ କରିଥିଲେ। ଏହି ସମସ୍ତ ତଦନ୍ତ ରିପୋର୍ଟ ଆଧାରରେ ଜିଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।

Comments are closed.