ତୁରନ୍ତ ଶିକ୍ଷକ ବଦଳି ତାଲିକା ପ୍ରକାଶ ଦାବି : ଜିଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ଶିକ୍ଷକ ସଂଘ

ନବରଙ୍ଗପୁରର ଦୁଇ ଶିକ୍ଷକ ସଂଘ ମୁହାଁମୁହଁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ଓ ବଦଳି ତାଲିକାକୁ ତୁରନ୍ତ ପ୍ରକାଶ କରିବା ଦାବିରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ , ନବରଙ୍ଗପୁର ଜିଲା ପକ୍ଷରୁ ଜିଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟ ସରକାରଙ୍କର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କର ଚିଠିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଥିଲା । ଏହି ଚିଠି ପ୍ରକାରେ ପ୍ରାଥମିକ ଶିକ୍ଷକଙ୍କର ବଦଳି ଗତ ୩୦.୯.୨୧ ସୁଦ୍ଧାଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁଃଖର ବିଷୟ ଏହି ଆଜି ଯାଏଁ ଜିଲାରେ ପ୍ରାଥମିକ ଶିକ୍ଷକ ମାନଙ୍କର ପଦୋନ୍ନତି ଓ ବଦଳି କରାଯାଇ ନଥିବାରୁ ଏହା ଶିକ୍ଷକମାନଙ୍କୁ ନିରାଶ କରିଥିବା ଦର୍ଶାଯାଇଛି । କିନ୍ତୁ ଅନ୍ୟଜିଲାରେ ଶିକ୍ଷକଙ୍କର ପଦୋନ୍ନତି ଓ ବଦଳି କାର୍ଯ୍ୟକାରୀ କରାଯାଇ ଶିକ୍ଷକ ମାନେ ସେମାନଙ୍କର ନୂତନ ସ୍ଥାନରେ ଯୋଗଦେଇ ସାରିଲେଣି । ତେବେ ଅନ୍ୟ ଜିଲାର ଶିିକ୍ଷକ ତୁଳନାରେ ଏହି ଜିଲାର ଶିକ୍ଷକ ମାନେ କନିଷ୍ଠ ବିବେଚନା ହେବାର ଭୟ ରହିଥିବା କୁହାଯାଇଛି । ତେଣୁ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ନେଇ ତୁରନ୍ତ ଶିକ୍ଷକଙ୍କର ପଦୋନ୍ନତି ଓ ବଦଳି ତାଲିକା ପ୍ରକାଶ କରିବାକୁ ଦାବି କରାଯାଇଛି । ଏସଂପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ ଧାରଣାସ୍ଥଳକୁ ଆସି ଶିକ୍ଷକ ମାନଙ୍କର ସହ ଆଲୋଚନା କରିଥିଲେ।

ଗତ ୭ ତାରିଖ ଦିନ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ଉପ ସଚିବ ଏକ ଚିଠି ଲେଖି ପ୍ରାଥମିକ ଶିକ୍ଷକଙ୍କର ପଦୋନ୍ନତି ଓ ବଦଳି କାଉନସଲିଂ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦେଇଥିବା କହିବା ସହ ପୂର୍ବର ନିୟମ ଅନୁସାରେ ବଦଳି ହୋଇ ପାରିବ ନାହିଁ ବୋଲି ସଫେଇ ଦେଇଥିଲେ । ଏହାକୁ ନେଇ ଧାରଶରତ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲ । ଏହି ଚିଠି ଆସିବା ପୂର୍ବରୁ କାହିଁକି ଗତ ୩୦ତାରିଖ ମଧ୍ୟ ବଦଳି ହେଲା ନାହିଁ ବୋଲି ପଚାରି ପାଟି କରିଥିଲେ। ତେବେ ବିଇଓ ମାନେ ତାଲିକା ଦେବାରେ ବିଳମ୍ବ କରିଥିବା ଜିଲା ଶିକ୍ଷା ଅଧିକାରି କହିଥିଲେ । ଏହାକୁ ନେଇ ଶିକ୍ଷକ ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କାଉନସିଲିଂ ମାଧ୍ୟମରେ ବଦଳି କରିବାକୁ ବିରୋଧ କରିଥିଲେ। ସଂଘର ସଭାପତି ସନ୍ତୋଷ କୁମାର ପାତ୍ର, ଉପସଭାପତି ତ୍ରିପତି ଦଳେଇ, ସର୍ବେଶ୍ୱର ପତି, କାର୍ଯ୍ୟକାରୀ ସଭାପତି ସୁକାନ୍ତ କୁମାର ପଣ୍ଡା, ସମ୍ପାଦକ ଗଣେଶ ପ୍ରସାଦ ରଣା ପ୍ରମୂଖ ନେତୃତ୍ୱନେଇଥିବାବେଳେ ଶତାଧକି ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସିଥିଲେ।
ସୂଚନାଯୋଗ୍ୟ, ଜିଲାରେ ଚଞ୍ଚକତା କରି ଶିକ୍ଷକ ବଦଳି କରିବାକୁ ଜିଲା ଶିକ୍ଷା ଅଧିକାରୀ ଉଦ୍ୟମ କରୁଥିବା ଉଦ୍ୟମ କରୁଥିବା ଅଭିଯୋଗ କରି ଗୁରୁବାରଦିନ ଜିଲା ପ୍ରାଥମିକ ଶିକ୍ଷକସଂଘ ,(ନିଖିଳ ଉତ୍କଳ)ପକ୍ଷରୁ ପ୍ରତିବାଦ କରାଯାଇ କାର୍ଯ୍ୟାଳୟର ବାରଣ୍ଡାରେ ଧାରଣା ଦିଆଯାଇଥିଲା। ତେବେ ବଦଳିକୁ ସ୍ଥଗିତ ରଖିବାକୁ ଜିଲା ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବା ପରେ ଧାରଣାକୁ ସାମୟିକ ଭାବେ ପ୍ରତ୍ୟାହାର କରାଯାଇଥିଲା। ନୂତନ ନିୟମ ପ୍ରକାରେ କାଉନସିଲିଂ ମାଧ୍ୟମରେ ଶିକ୍ଷକ ବଦଳି କରିବାକୁ ଦାବି କରାଯାଇଛି । ତେବେ ଶିକ୍ଷକ ବଦଳିକୁ ନେଇ ଦୁଇଟି ଶିକ୍ଷକ ସଂଘ  ମୁହାଁମୁହିଁ  ପରିସ୍ଥିତି ଦେଖାଦେଇଛି । ଏହି ସଂଘର ଉପଦେଷ୍ଠା ରତନ ମାଝୀ ,ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ, ସଂଘର କର୍ମକର୍ତ୍ତା ଅଶ୍ୱନି ଦାଶ, ସନନ୍ତ ପ୍ରହରାଜ, ଦେବଦାସ ଗଣ୍ଡ, ପ୍ରତିମା ଯାଦବ ,କ୍ଷେତ୍ରମୋହନ ବିଷୋୟୀ ,ଗଲତି ସଗରିଆ ସମେତ ବହୁ ଶିକ୍ଷକ ଧାରଣା ରେ ବସିଥିଲେ। ତେବେ ଶିକ୍ଷକ ବଦଳି କୁ ନେଇ ଜିଲା ଦୁଇଟି ଶିକ୍ଷକ ସଂଘ ମୁହାଁମୁହିଁ ପରିସ୍ଥିତି ଜିଲାର ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

 

Comments are closed.