ଆଫଗାନିସ୍ତାନ ପରିସ୍ଥିତି ଉପରେ ଆସନ୍ତାକାଲି ହେବ ଆଲୋଚନା

ଆଫଗାନିସ୍ତାନ ପରିସ୍ଥିତି ଉପରେ ଆସନ୍ତାକାଲି ଆଲୋଚନା ହେବ। ଜାତୀୟ ନିରାପତ୍ତା ଉପଦେଷ୍ଟା କିମ୍ବା ନିରାପତ୍ତା ପରିଷଦ ସଚିବମାନଙ୍କ ସ୍ତରରେ କଥାବାର୍ତ୍ତା ହେବ। ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଦୋଭାଲ୍‍ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ଇରାନ, କାଜାଖସ୍ତାନ, କିରିଗିଜସ୍ତାନ, ରୁଷ, ତାଜିକ୍‍ସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ଅଂଶଗ୍ରହଣ କରିବେ। ଏହି କଥାବାର୍ତ୍ତାରେ ଯୋଗଦେବାକୁ ଚୀନ ଓ ପାକିସ୍ତାନକୁ ଭାରତ ଆମନ୍ତ୍ରଣ କରିଥିଲେ ମଧ୍ୟ କିନ୍ତୁ ଉଭୟ ଦେଶ କଥାବାର୍ତ୍ତାରେ ଭାଗ ନେବେ ନାହିଁ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଆଫଗାନିସ୍ତାନ ଉପରେ ଭାରତ ସହ ଉଭୟ ଦ୍ୱିପକ୍ଷୀୟ ଓ ବହୁରାଷ୍ଟ୍ର ସ୍ତରରେ କଥାବାର୍ତ୍ତା କରିବାକୁ ଆଗ୍ରହୀ ଥିବା ବିଷୟ ଚୀନ୍‍ କହିଛି।

ପ୍ରଥମଥର ପାଇଁ ମଧ୍ୟ-ଏସୀୟ ଦେଶମାନେ ଏହି କଥାବାର୍ତ୍ତାରେ ଅଂଶ ଗ୍ରହଣ କରୁଛନ୍ତି। ଏହି କଥାବାର୍ତ୍ତାରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ଦେଶର ଆଗ୍ରହ ଦୃଷ୍ଟିରୁ ଆଫଗାନିସ୍ତାନରେ ଶାନ୍ତି ଓ ନିରାପତ୍ତାର ପୁର୍ନସ୍ଥାପନ ପାଇଁ ଭାରତର ଭୂମିକା ସ୍ପଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ, ଏହି ଆଲୋଚନାରେ ଆଫଗାନିସ୍ତାନ ପରିସ୍ଥିତି, ମୌଳବାଦ, ଉଗ୍ରବାଦ, ନିଶାଦ୍ରବ୍ୟ ଉତ୍ପାଦନ ଓ ଚୋରା କାରବାର ଭଳି ପ୍ରସଙ୍ଗ ସ୍ଥାନ ପାଇବ। ଆଫଗାନିସ୍ତାନରେ ଥିବା ସାମରିକ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଯୋଗୁଁ ଉପୁଜିବାକୁ ଥିବା ବିପଦ ବିଷୟ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇବ। ଏହା ବ୍ୟତୀତ ଆଫଗାନିସ୍ତାନରେ ମାନବୀୟ ସହାୟତା ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହି ଉଚ୍ଚସ୍ତରୀୟ ବୈଠକରେ ଆଫଗାନିସ୍ତାନର ସାଂପ୍ରତିକ ଘଟଣାବଳୀ ଯୋଗୁଁ ଏହି ଅଞ୍ଚଳର ନିରାପତ୍ତା ପରିସ୍ଥିତିରେ ଆସିଥିବା ପରିବର୍ତ୍ତନର ସମୀକ୍ଷା କରାଯିବ। ନିରାପତ୍ତା ପ୍ରତିବନ୍ଧକର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା ହେବା ସହିତ ଆଫଗାନିସ୍ତାନରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ଆଣିବା ଲାଗି ଏହାର ଜନସାଧାରଣଙ୍କୁ ସହଯୋଗ କରିବା ବିଷୟରେ ମଧ୍ୟ ଆଲୋଚନା ହେବ।

ପୂର୍ବରୁ ଏହି ସବୁ ପ୍ରସଙ୍ଗରେ ୨୦୧୮ ଓ ୨୦୧୯ରେ ଇରାନ ପକ୍ଷରୁ ବୈଠକ ହୋଇଥିବା ବେଳେ ତୃତୀୟ ବୈଠକ କରୋନା ସଂକ୍ରମଣ ଯୋଗୁଁ ହୋଇପାରି ନଥିଲା। ଭାରତ ସହ ଆଫଗାନିସ୍ତାନର ବହୁ ପୁରୁଣା ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଥିବା ଦୃଷ୍ଟିରୁ ଆଫଗାନିସ୍ତାନରେ ସୃଷ୍ଟ ମାନବୀୟ ସଂକଟର ଦୂରୀକରଣ ଓ ଏହାର ସୁରକ୍ଷା ନିଶ୍ଚିତ କରିବା ପାଇଁ ଭାରତ ଆନ୍ତର୍ଜାତିକ ସ୍ତରରୁ ସମର୍ଥନ ସଂଗ୍ରହ କରୁଛି। ଆସନ୍ତାକାଲି ହେବାକୁ ଥିବା ଏହି ଆଲୋଚନା ପୂର୍ବରୁ ଶ୍ରୀ ଦୋଭାଲ୍‍ ମଙ୍ଗଳବାର ସନ୍ଧ୍ୟାରେ ଉଜବେକିସ୍ତାନ ଓ ତାଜିକିସ୍ତାନର ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ। ପୂର୍ବତନ କୁଟନୀତିଜ୍ଞ ଅନୀଲ ୱାଧୱା କହିଛନ୍ତି ଭାରତ, ଇରାନ ଓ ରୁଷ ଭଳି ଦେଶମାନେ କଥାବାର୍ତ୍ତାରେ ଅଂଶ ଗ୍ରହଣ କରୁଥିବାରୁ ଏହାର ଫଳାଫଳ ସକାରାତ୍ମକ ହେବ।

Comments are closed.