ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଆତ୍ମହତ୍ୟା

ମୁମ୍ବଇ: ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଗୁପ୍ତାଙ୍କ ପତ୍ନୀ ଅସ୍ମିତା ଏବଂ ଝିଅ ସୃଷ୍ଟି ଆତ୍ମହତ୍ୟା କରିଛନ୍ତି। ଉଭୟେ ମୁମ୍ବଇର ଅନ୍ଧେରୀସ୍ଥିତ ନିଜ ବାସଭବନରେ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଥିବା ସୂଚନା ମିଳିଛି।

୫୫ ବର୍ଷୀୟା ଅସ୍ମିତା ଦୀର୍ଘଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିବାରୁ ଏଭଳି ଭୟଙ୍କର ପଦକ୍ଷେପ ନେଇଛନ୍ତି। ମା’ଙ୍କ ଶରୀର ଅସୁସ୍ଥ ଯୋଗୁ ଝିଅ ସୃଷ୍ଟି ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଅସ୍ମିତା ଏବଂ ତାଙ୍କ ଝିଅ ଗତ ସୋମବାର ଅପରାହ୍ନରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ ଘର ଭିତରୁ ଧୂଆଁ ବାହାରିବା ଦେଖି ପଡ଼ୋଶୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କୁପର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେହିଦିନ ଅସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ତା’ର ଦିନକ ପରେ ସୃଷ୍ଟି ଆଖି ବୁଜିଥିଲେ। ପୁଲିସ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଡିଏନ ନଗର ଥାନା ଇନ୍ସପେକ୍ଟର ଭରତ ଗାଏକ୍ବାଡ୍‌ କହିଛନ୍ତି।

Comments are closed.