୨୦୨୪ ସୁଦ୍ଧା ଦେଶ​ରେ ଡିଜିଟାଲ ରେଡିଓ : ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ : ୨୦୨୪ ସୁଦ୍ଧା ଦେଶ​ରେ ଡିଜିଟାଲ ରେଡିଓ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।  ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହା କହିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଆକାଶବାଣୀର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ଡିଜିଟାଲ୍‍ ରେଡିଓ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟ ଭାବେ ରେଡ଼ିଓ ଶୁଣାଯିବ ଏବଂ ଏହା ଅଧିକ ଅଞ୍ଚଳକୁ ମଧ୍ୟ ପ୍ରସାରିତ ହୋଇପାରିବ ବୋଲି ଶ୍ରୀ ଜାଭଡେକର କହିଛନ୍ତି । ଆକାଶବାଣୀ ଏଭଳି ଏକ ଅନୁଷ୍ଠାନ ଯାହାର ସମ୍ବାଦ, ସଂଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ଜୀବନର ଏକ ଅଂଶବିଶେଷ ହୋଇଯାଇଛି ।

ଏହି ସମାରୋହରେ ଉଦ୍‍ବୋଧନ ଦେଇ ପ୍ରସାରଭାରତୀ ଅଧ୍ୟକ୍ଷ ଡକ୍ଟର ଏ. ସୂର୍ଯ୍ୟପ୍ରକାଶ କହିଛନ୍ତି, ଆକାଶବାଣୀର ସମ୍ବାଦ ସର୍ବସାଧାରଣଙ୍କର ବିଶ୍ୱାସ ଜିଣିବାରେ ସକ୍ଷମ ହୋଇଛି । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଶେଖର ଭେମ୍ପ୍‍ତି କହିଛନ୍ତି ଯେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଆକାଶବାଣୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ  ପ୍ରସାର ଭାରତୀ ଆକାଶବାଣୀର ଏହି ପୁରସ୍କାର ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛି ବୋଲି ସେ କହିଛନ୍ତି।

Comments are closed.