ଡିଜିଟାଲ ଋଣ ଆପ୍ ମାମଲା ; ଭାରତରେ ଅସ୍ଥିରତା ପାଇଁ ‘ଡ୍ରାଗନ’ର ଷଡ଼ଯନ୍ତ୍ର

ନେପାଳରେ ରହି ଭାରତୀୟଙ୍କୁ ନିଶାଣ

ଭୁବନେଶ୍ବର : ଭାରତୀୟ ଅର୍ଥନୀତିକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର ରଚୁଛି ଚୀନ। ଡିଜିଟାଲ ଋଣ ଆପ୍‌କୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରୁଛି ଡ୍ରାଗନ। ଚୀନର ବିଶେଷଜ୍ଞମାନେ ଏଥିପାଇଁ ନେପାଳରେ ଡେରା ପକାଇ ଏହି କାରବାର ଚଳାଉଛନ୍ତି। ସେଠାରେ କଲ ସେଣ୍ଟର ଖୋଲି ଭାରତୀୟଙ୍କୁ ସହଜ ନିଶାଣ କରୁଥିବା ନେପାଳ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ନେପାଳରୁ ଏଭଳି ବେଆଇନ କାର୍ଯ୍ୟକଳାପ ଚୀନ୍‌ ଚଳାଇବା ନେଇ ସୂଚନା ପାଇବା ପରେ ନେପାଳ ପକ୍ଷରୁ ଭାରତକୁ ସତର୍କ କରାଯାଇଛି।
ନେପାଳ ସାଇବର ବ୍ୟୁରୋ କାଠମାଣ୍ଡୁ ଓ ରୁପାଣ୍ଡେହି ଜିଲା ବୁଟ୍‌ୱାଲ ସହରରେ ଥିବା ଦୁଇଟି ବେଆଇନ କଲ ସେଣ୍ଟର ଉପରେ ଚଢ଼ଉ କରି ୧୯୦ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫଙ୍କ ମଧ୍ୟରେ ୫ ଚୀନ ନାଗରିକଙ୍କ ସହ ଦୁଇ ଜଣ ଭାରତୀୟ ଥିଲେ। ଓଡ଼ିଶା ଓ ମୁମ୍ବାଇ ପୁଲିସ ଯେଉଁ ଚୀନ୍‌ ନାଗରିକ ଲିୟୁ ୟି ବିରୋଧରେ ସେତେବେଳେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଥିଲା ସଂପୃକ୍ତ ବ୍ୟକ୍ତି ଜଣକ ସେହି ସମୟରେ ନେପାଳରେ ଥିଲା। ମାତ୍ର ଚଢ଼ଉ ସୂଚନା ପାଇ ଜୁଲାଇ ୨୫ରେ ସେ ନେପାଳ ଛାଡି ପଳାଇଥିଲା। ନେପାଳ ପୁଲିସ୍ ଅଧିକାରୀ ତା’ର ଫଟୋ ସେୟାର କରିବା ପରେ ଲିୟୁ ୟିଙ୍କ ଉପସ୍ଥିତି ସ୍ପଷ୍ଟ ହୋଇପାରିଥିଲା। ଅନ୍ୟପଟେ ନେପାଳ ପୁଲିସର ସ୍ୱତନ୍ତ୍ର ଶାଖା ଏବଂ ସାଇବର ବ୍ୟୁରୋ ଉପରୋକ୍ତ ଦୁଇଟି କଲ ସେଣ୍ଟରରୁ ଜବତ ଲାପ୍‌ଟପ୍‌, ମୋବାଇଲ ଏବଂ କଂପ୍ୟୁଟରରୁ ତଥ୍ୟ ଖୋଳତାଡ ଚାଲିଛି।
ଗତ ୭ ବର୍ଷ ମଧ୍ୟରେ ନେପାଳରେ ବେଆଇନ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗରେ ୧୫୦୦ରୁ ଅଧିକ ଚୀନ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇସାରିଛି। ଡିସେମ୍ବର ୨୦୧୯ରେ ନେପାଳ କର୍ତ୍ତୃପକ୍ଷ ଅସାଧୁ ମୋବାଇଲ ଋଣ ଆବେଦନ ସହ ଜଡିତ ଏକ ବେଆଇନ କଲ ସେଣ୍ଟରରେ ଚଢ଼ଉ କରି ୧୨୦ ଜଣ ଚୀନ ନାଗରିକଙ୍କୁ ଗିରଫ କରିଥିଲେ। ପରବର୍ତ୍ତୀ ବର୍ଷ, ୨୩୩ ଚୀନ୍ ନାଗରିକଙ୍କୁ ଦେଶରୁ ବିତାଡିତ କରିଥିଲା ନେପାଳ। ସେଥିମଧ୍ୟରୁ ୪୮ଜଣ ଚୀନ୍‌ ନାଗରିକ ପର୍ଯ୍ୟଟକ ଭିସାରେ ନେପାଳକୁ ଆସି ଅବୈଧ ଭାବେ ଅଧିକ ସମୟ ରହିଥିଲେ। ନେପାଳର ଇମିଗ୍ରେସନ୍ ବ୍ୟୁରୋ ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ନେପାଳକୁ ଚୀନ୍‌ରୁ ଆସିଥିବା ନାଗରିକଙ୍କ ସଂଖ୍ୟା ୧୫୩ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ନେପାଳରେ ଚୀନ୍‌ର ବ୍ୟବସାୟିକ ଭିସା ସଂଖ୍ୟା ବୃଦ୍ଧି ପାଉଛି। ଭାରତୀୟଙ୍କୁ ନିଶାଣ କରିବା ଉଦ୍ଦେଶ୍ୟରେ ଚୀନ୍‌ ନାଗରିକମାନେ ନେପାଳରେ ବେଆଇନ କଲ ସେଣ୍ଟର ଖୋଲି ଏଭଳି ଆପ୍‌ ଜରିଆରେ ଠକେଇ ଚଳାଇଥିବା ସ୍ପଷ୍ଟ ହୋଇଛି। ଏକ୍ଷେତ୍ରରେ ନେପାଳୀ ନାଗରିକଙ୍କୁ ମଧ୍ୟ ସେମାନେ ବ୍ୟବହାର କରୁଛନ୍ତି। ବେଆଇନ କଲ୍ ସେଣ୍ଟର ଖୋଲି ସ୍ଥାନୀୟ ଲୋକଙ୍କୁ ଭଲ ଦରମା ଏବଂ କମିସନର ପ୍ରଲୋଭନ ଦେଖାଇ ଏଭଳି କାରବାର ଚଳାଇଛନ୍ତି। ଏଭଳି କଲ୍‌ ସେଣ୍ଟର ଜରିଆରେ ଭାରତୀୟଙ୍କୁ ପ୍ରଥମେ ଅଶ୍ଳୀଳ ଆପ୍ସ ଜରିଆରେ କଲ୍‌ କରିବା ଓ ଅଶ୍ଳୀଳ ଫଟୋ ମାଧ୍ୟମରେ ଭାରତୀୟଙ୍କଠାରୁ ଟଙ୍କା ଲୁଟିବାରେ ଚୀନ୍‌ ଲୁଟେରାମାନେ ସଫଳ ହେଉଛନ୍ତି। ରେଡ ଡ୍ରାଗନର ଏଭଳି ଷଡଯନ୍ତ୍ରକୁ ନେଇ କେବଳ ଭାରତ ନୁହେଁ, ନେପାଳ ମଧ୍ୟ ଚିନ୍ତାରେ ପଡିଛି। ନେପାଳରୁ ଭାରତ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି କେତେକ ସାଇବର ବିଶେଷଜ୍ଞ କହିଛନ୍ତି। ବୋଧହୁଏ ପୁରୁଣା ବନ୍ଧୁ ଭାରତ ଓ ନେପାଳ ମଧ୍ୟରେ ବିଭେଦ ସୃଷ୍ଟି କରିବା ଲାଗି ଡ୍ରାଗନ୍‌ର ଏହା ନୂଆ ରଣନୀତି ବୋଲି ଆଶଙ୍କା କରାଯାଉଛି।

Comments are closed.