ଡିଜିଟାଲ୍‍ ଆହ୍ୱାନ, ପୁରୁଣା ଆଇନରେ ସଂସ୍କାର ଆଣିବା ଜରୁରୀ

କେବଳ ବାଣିଜ୍ୟ ଓ ଅର୍ଥନୀତିରେ ନୁହେଁ, ସଫ୍ଟୱେର ବା ସୂଚନା ପ୍ରଯୁକ୍ତିରେ ମଧ୍ୟ ଚୀନ୍‍ ବିଶ୍ୱର ସୁପରପାୱାର ହେବା ଲକ୍ଷ୍ୟରେ ଥିଲା। ବରଂ କହିବାକୁ ହେବ ଯେ ଏହି ଦୌଡ଼ରେ ଏସିଆର ଏହି ସୁପରପାୱାର ଆମେରିକା ସହିତ ପ୍ରାୟ ସମାନ ଥିଲା। ଚୀନ୍‍ର ଆଭିମୁଖ୍ୟ, ପ୍ରଦର୍ଶନ ଓ କାର୍ଯ୍ୟଶୈଳୀ ଦେଖିଲେ ମନେ ହେଉଥିଲା ହୁଏତ ଆଉ ଅଳ୍ପ କିଛି ସମୟ ମଧ୍ୟରେ ଚୀନ୍‍ ସଫ୍ଟପାୱାର ଦୌଡ଼ରେ ଆମେରିକାକୁ ବହୁ ପଛରେ ଛାଡ଼ି ସମଗ୍ର ବିଶ୍ୱକୁ ନିଜ ହାତମୁଠାକୁ ନେଇଯିବ। ଡିଜିଟାଲ୍‍ ୱାର୍ଲ୍ଡରେ ଚୀନ୍‍ର ଏହି ଦୁର୍ବାର ଲକ୍ଷ୍ୟ ଅଚିରେ ସାକାର ହୋଇଥା’ନ୍ତା ଯଦି ହଠାତ୍‍ ଭାରତ ସୀମାନ୍ତରେ ଚୀନ୍‍ର ବିସ୍ତାରବାଦୀ ନୀତି ଏତେ ଉଗ୍ର ଭାବରେ ପ୍ରତିଫଳିତ ହୋଇନଥା’ନ୍ତା। ଏହି ଘଟଣା ପରେ ଚୀନ୍‍ ଦୌଡ଼ର ଗତି ସମ୍ପୂର୍ଣ୍ଣ ବଦଳିଗଲା ଓ ଚୀନ୍‍ ସଫ୍ଟୱେର କମ୍ପାନୀଙ୍କ ବିଶ୍ୱବିଜୟୀ ସ୍ୱପ୍ନ ଭାଙ୍ଗିଗଲା। ଗଲ୍‍ୱାନ୍‍ ଉତ୍ତେଜନା ପରେ ଭାରତବାସୀଙ୍କ ଆବେଗ ଓ ସମୟର ଆହ୍ୱାନକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ବିଶ୍ୱାଦୃତ ‘ଟିକ୍‍ଟକ୍‍’ ସମେତ ୫୯ଟି ଆପ୍‍କୁ ଭାରତରେ ନିଷେଧ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଆଉ ୪୭ଟି ଆପ୍‍କୁ ନିଷେଧ କରିଛନ୍ତି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଏହି ସବୁ ଆପ୍‍ ବିକାଶ କରିଥିବା କମ୍ପାନୀ/ସଂସ୍ଥା ଚୀନ୍‍ ସରକାରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପୃଷ୍ଠପୋଷକତାରେ ହିଁ ବିଗତ ଏକ ଦଶନ୍ଧି ଧରି ଦିଗ୍‍ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଭାରତର ପଦକ୍ଷେପ ବିଶ୍ୱ ସମୁଦାୟକୁ ଏହି ବାର୍ତ୍ତା ଦେଇଛି ଯେ ଚୀନ୍‍ ଅପ୍ରତିହତ ନୁହେଁ।

ଭାରତ ସରକାରଙ୍କ ଚୀନ୍‍ ଆପ୍‍ ନିଷେଧ ନିଷ୍ପତ୍ତିକୁ ଦେଶ ଭିତରେ ଏବଂ ବାହାରରେ ସ୍ୱାଗତ କରାଯାଇଛି ସତ, କିନ୍ତୁ ଏହାପରେ ଏଭଳି କିଛି ପ୍ରସଙ୍ଗ ଉଠିଛି ଯାହାକୁ ଦେଶର ଆଭ୍ୟନ୍ତରୀଣ ସ୍ୱାର୍ଥ ଓ ସମୟର ଆବଶ୍ୟକତା ଦୃଷ୍ଟିରୁ ଉପେକ୍ଷା କରାଯାଇନପାରେ। ଚୀନ୍‍ ଆପ୍‍ ନିଷେଧ ପରେ ଭାରତୀୟ ସଫ୍ଟୱେର ବା ଡିଜିଟାଲ୍‍ ବଜାରରେ ଯେଉଁ ଯୋଗାଣ ସଙ୍କଟ ସୃଷ୍ଟି ହେବ ତାହାକୁ ଭରଣା କରିବାକୁ ଭାରତୀୟ ସଫ୍ଟୱେର କମ୍ପାନୀ ଓ ବିଶେଷଜ୍ଞମାନେ କେତେଦୂର ସକ୍ଷମ ତାହା ବିଚାର କରିବାର ବେଳ ଆସିଛି। ଏହି ଅଭାବବୋଧ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହାର ସଦୁପଯୋଗ କରିବା ପାଇଁ ସରକାରଙ୍କ ଇଚ୍ଛା ଓ ନୀତି କେତେ ପ୍ରଭାବଶାଳୀ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।

ଚୀନ ଆପ୍‍ ନିଷେଧ ସହିତ ତାହାର ଉତ୍ପାଦ ବା ମୋବାଇଲ୍‍ ହ୍ୟାଣ୍ଡସେଟ୍‍କୁ ଭାରତୀୟ ବଜାରରେ ନିଷେଧ କରିବା ପାଇଁ ଭାରତ ସରକାର ଇତିମଧ୍ୟରେ କେତେକ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ଭାରତରେ କାର୍ଯ୍ୟରତ ଅନ୍‍ଲାଇନ୍‍ କମ୍ପାନୀଗୁଡ଼ିକୁ ସେମାନେ ବିକ୍ରି କରୁଥିବା ଉତ୍ପାଦଗୁଡ଼ିକର ନିର୍ମାଣ ବା ଉତ୍ପାଦନର ସବିଶେଷ ବିବରଣୀ ଉଲ୍ଲେଖ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାସତ୍ତ୍ବେ ନିଷେଧ ଟିକ୍‍ଟିକ୍‍ ସମେତ ଅନେକ ଆପ୍‍ ଏବେ ମଧ୍ୟ ଭାରତରେ ଲୁଚାଛପାରେ ବ୍ୟବହୃତ ହେଉଛି। ଆଇଟି ବିଶେଷଜ୍ଞଙ୍କ ମତରେ ଅବୈଧ ଭାବରେ ଓ ବିନା ମୂଲ୍ୟରେ ଆପ୍‍ ଡାଉନଲୋଡ୍‍ ଓ ବ୍ୟବହାର ହେବାର ଅନେକ ବାଟ ରହିଛି। କେତେକ ହ୍ୟାଣ୍ଡସେଟ୍‍ ସହିତ ଏହି ଆପ୍‍ ପୂର୍ବରୁ ଯୋଡ଼ି ହୋଇ ରହିଛି। ତେଣୁ ଭାରତର ଡିଜିଟାଲ୍‍ ବଜାରରୁ ଚୀନ୍‍ର ଉପସ୍ଥିତିକୁ ସମ୍ପୂର୍ଣ୍ଣ ହଟାଇବା ହୁଏତ ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ ବୋଲି ଜଣାପଡ଼ୁଛି। କାରଣ ଡିଜିଟାଲ୍‍ ବଜାର ଓ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଭାରତରେ ପ୍ରଚଳିତ ଆଇନ୍‍ ୨୦ ବର୍ଷ ପୁରୁଣା। ନୀତି ନିୟମ ମଧ୍ୟ ଯୁଗୋପଯୋଗୀ ନୁହେଁ। କପିରାଇଟ୍‍ ବା ସ୍ୱତ୍ବାଧିକାର ଆଇନ୍‍ ବିଗତ ୮ ବର୍ଷ ହେଲା ସଂଶୋଧିତ ହୋଇପାରିନାହିଁ। ସେହିପରି ଚୀନ୍‍ ସଫ୍ଟୱେର କମ୍ପାନୀର ବିକଳ୍ପ ରୂପେ ନିଜକୁ ଉପସ୍ଥାପନ କରିବା ପୂର୍ବରୁ ଭାରତୀୟ କମ୍ପାନୀମାନେ ନିଜ ଦକ୍ଷତା ଆଧାରରେ ବ୍ରାଣ୍ଡ ମୂଲ୍ୟରେ ଆହୁରି ଅଧିକ ଉନ୍ନତି ଆଣିବାକୁ ପଡ଼ିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତୀୟ ସଫ୍ଟୱେର କମ୍ପାନୀମାନଙ୍କର ବିଶ୍ୱର ଅନ୍ୟାନ୍ୟ ଦେଶର ଆଉଟ୍‍ସୋର୍ସିଂରେ ପ୍ରମୁଖ ଅବଦାନ ରହିଛି ଏବଂ ଭାରତୀୟ ଆଇଟି ବିଶାରଦମାନେ ବିଶ୍ୱର ଅଗ୍ରଣୀ ଦେଶ ଓ ସଂସ୍ଥାରେ ସେମାନଙ୍କ ପ୍ରତିଭାର ପରିଚୟ ଦେଇସାରିଛନ୍ତି। ତଥାପି ଚୀନ୍‍ର ସଫ୍ଟପାୱାର ସହିତ ଭାରତୀୟ ସଫ୍ଟପାୱାର ସମାନ ସ୍ତରରେ ପ୍ରତିଯୋଗିତା କରିବା ସ୍ଥିତିରେ ଯେ ନାହାନ୍ତି, ଏହା ସ୍ୱୀକାର କରିବାକୁ ପଡ଼ିବ। ଚୀନ୍‍ର ସଫ୍ଟୱେର କମ୍ପାନୀ ବ୍ରାଣ୍ଡ ମୂଲ୍ୟ ତୁଳନାରେ ଭାରତର ନାମକରା କମ୍ପାନୀମାନଙ୍କର ବ୍ରାଣ୍ଡମୂଲ୍ୟ ପ୍ରାୟ ଏକ-ଦଶମାଂଶ। ବ୍ରାଣ୍ଡ ମୂଲ୍ୟ ବଢ଼ିଲେ ସମ୍ବଳ ବଢ଼ିବ ଏବଂ ଭାରତୀୟ କମ୍ପାନୀମାନେ ନୂଆ କିଛି ଉଦ୍‍ଭାବନ କରିବାରେ ମନୋନିବେଶ କରିପାରିବେ। ଏଥିପାଇଁ କେବଳ ଉଦ୍ୟୋଗପତିମାନଙ୍କର ଉଦ୍ୟମ ନୁହେଁ ବରଂ ସରକାରଙ୍କ ଦୃଷ୍ଟିକୋଣରେ ମଧ୍ୟ ଯୁଗୋପଯୋଗୀ ପରିବର୍ତ୍ତନ ଆଣିବା ଆବଶ୍ୟକ।

ଚୀନ୍‍ ଆପ୍‍ ନିଷେଧ ପରେ ଭାରତ ପାଇଁ ଆଉ ଏକ ସମସ୍ୟା ହେଉଛି ଆମେରିକା। ଏବେ ବିଶ୍ୱ ଡିଜିଟାଲ୍‍ ବଜାରର ସିଂହଭାଗ ଆମେରିକା ଓ ଚୀନ୍‍ ଦଖଲରେ ରହିଛି। ଚୀନ୍‍ ହଟିଯିବା ପରେ ଭାରତର ଡିଜିଟାଲ୍‍ ବଜାର ଉପରେ ଆମେରିକା ଦୃଷ୍ଟି ପକାଇବା ଅସମ୍ଭବ ନୁହେଁ। ଚୀନ୍‍ ସହିତ ଉତ୍ତେଜନା କାରଣରୁ ଆମେରିକା ନିଜ ସାମୟିକ ସ୍ୱାର୍ଥ ସାଧନ ପାଇଁ ଭାରତ ସପକ୍ଷରେ ଢଳିଥାଇପାରେ, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‍ ଟ୍ରମ୍ପ ଯଦି ପୁଣି ଥରେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୁଅନ୍ତି ତେବେ ତାଙ୍କର ଭାରତ ପ୍ରତି ଥିବା ସାମ୍ପ୍ରତିକ ଦୃଷ୍ଟିକୋଣ ଯେ ଅପରିବର୍ତ୍ତିତ ରହିବ ତାହା ନିଶ୍ଚିତ କରିହେବ ନାହିଁ। ହାର୍ଲି ଡେଭିଡ୍‍ସନ୍‍ ମୋଟରବାଇକ୍‍ ଅନୁରୂପ ଭାରତୀୟ ଡିଜିଟାଲ୍‍ ବଜାର ପାଇଁ ଟ୍ରମ୍ପ ଆମେରିକାକୁ ସୁହାଇବା ଭଳି ସର୍ତ୍ତ ଆରୋପ କରିପାରନ୍ତି। ଏ ସବୁ ଦୃଷ୍ଟିରୁ ବିଚାର କଲେ ଭାରତ ସରକାରଙ୍କ ଚୀନ୍‍ ଆପ୍‍ ନିଷେଧ ନିଷ୍ପତ୍ତି ଭାରତବାସୀଙ୍କ ଭାବାବେଗ ଦୃଷ୍ଟିରୁ ଉଚିତ୍‍ ବୋଧ ହୋଇପାରେ ଏବଂ ଚୀନ୍‍ ବିରୋଧରେ ବିଶ୍ୱସମୁଦାୟକୁ ବଳ ଦେଇଛି ବୋଲି କୁହାଯାଇପାରେ। ଏହାପରେ କିନ୍ତୁ ଭାରତ ଆଗରେ ଡିଜିଟାଲ୍‍ ଆହ୍ୱାନ ଆହୁରି ବଢ଼ିଯାଇଛି। ଏହାର ମୁକାବିଲା କରିବାକୁ ହେଲେ ଦକ୍ଷତା ବିକାଶ ସହିତ ପ୍ରଭାବଶାଳୀ ନୀତି ପ୍ରଣୟନ କରିବା ଆବଶ୍ୟକ।