ସାଧ୍ଵୀ ପ୍ରଜ୍ଞା ମାସୁଦ ଆଝାରଙ୍କୁ ଅଭିଶାପ ଦେଲେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ପଡ଼ିବନି: ଦିଗବିଜୟ

ଭୋପାଳ: ଭୋପାଳ ଲୋକସଭା ଆସନରୁ କଂଗେସ ପ୍ରାର୍ଥୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କୁ ଇଙ୍ଗିତ କରି କଡ଼ା ସମାଲୋଚନା କରିଛନ୍ତି। ଦିଗ୍‌ବିଜୟ କହିଛନ୍ତି, ସାଧ୍ଵୀ ପ୍ରଜ୍ଞା କହୁଛନ୍ତି ଯେ ତାଙ୍କ ଅଭିଶାପ ଫଳରେ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଛି। ତା’ହେଲେ ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଅଭିଶାପ କାହିଁକି ଦେଉନାହାନ୍ତି। ଯଦି ସେ ମାସୁଦକୁ ଅଭିଶାପ ଦେଇଦିଅନ୍ତେ, ତେବେ ଆତଙ୍କବାଦୀଙ୍କୁ ମାରିବାକୁ ଆଉ ସର୍ଜିକାଲ ଷ୍ଟ୍ରାଇକ ଦରକାର ପଡ଼ନ୍ତା ନାହିଁ।

ଭୋପାଳର ଅଶୋକା ଗାର୍ଡେନ ଅଞ୍ଚଳରେ ଏକ ସଭାରେ ସମ୍ବୋଧିତ କରିବା ଅବସରରେ ଦିଗବିଜୟ କହିଛନ୍ତି, ସାଧ୍ଵୀ ମୋତେ ଆତଙ୍କବାଦୀ କହୁଛନ୍ତି। ଯଦି ମୁଁ ଆତଙ୍କବାଦୀ, ତା’ହେଲେ ମୋତେ ଗିରଫ କର। ସେ କହିଛନ୍ତି, ବିଜେପିର ଲୋକମାନେ ସହରର ସ୍ଥିତି ବିଗାଡ଼ିବାକୁ କିଛି ବି କରିପାରନ୍ତି। କିନ୍ତୁ ଆପଣମାନେ ସେମାନଙ୍କ କଥାରେ ପରିଚାଳିତ ହୁଅନ୍ତୁ ନାହିଁ ବୋଲି ଦିଗବିଜୟ ଜନସାଧାରଣଙ୍କୁ କହିଥିଲେ।

ସେ ଆହୁରି କହିଥିଲେ, ହିନ୍ଦୁ, ମୁସଲିମ, ଶିଖ୍‌ ଏବଂ ଖ୍ରୀଷ୍ଟିଆନ ଭାଇ-ଭାଇ। କିନ୍ତୁ ଏମାନେ ହିନ୍ଦୁମାନଙ୍କୁ କହୁଛନ୍ତି ତୁମ ପ୍ରତି ବିପଦ ରହିଛି, ଏକାଠି ହୋଇଯାଅ। ଏହି ଦେଶକୁ ମୁସଲମାନମାନେ ୫୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ସମୟରେ କୌଣସି ଧର୍ମର କିଛି କ୍ଷତି ହୋଇ ନ ଥିଲା। ଧର୍ମକୁ ବିକୁଥିବା ଏପରି ଲୋକଙ୍କ ପ୍ରତି ସାବଧାନ ରହିବାକୁ ଦିଗବିଜୟ ପରାମର୍ଶ ଦେଇଥିଲେ।

ସେହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଥିଲେ, ଆଜିକାଲି ଗୁଗଲରେ ଫେକୁ ଟାଇପ କଲେ କାହାର ଫଟୋ ଆସୁଛି ? ବିଶ୍ଵରେ ୟାଙ୍କର ଏଭଳି ଯଶ ରହିଛି ଯେ, କୌଣସି ଦେଶରେ ଏପରି ମିଛ କହୁଥିବା ଏପରି ପ୍ରଧାନମନ୍ତ୍ରୀ ନାହାନ୍ତି।

Comments are closed.