ବର ନୁହେଁ, ଏଠାରେ ବରର ଭଉଣୀ କରେ କନ୍ୟାକୁ ବିବାହ

ଭାରତରେ ବିଭିନ୍ନ ଧର୍ମ ଓ ଜାତିର ଲୋକେ ବସବାସ କରନ୍ତି । ସେମାନଙ୍କ ସଂସ୍କୃତି ଓ ପରମ୍ପରା ମଧ୍ୟ ପରସ୍ପର ଠାରୁ ଭିନ୍ନ ରହିଥାଏ । ପର୍ବ ପର୍ବାଣୀ ପାଳନ ଅବସରରେ ସେମାନଙ୍କ ମଧ୍ୟରେ ଭିନ୍ନତା ଦେଖିବାକୁ ମିଳୁଥିବା ବେଳେ ବିବାହ କାର୍ଯ୍ୟରେ ମଧ୍ୟରେ ନିଆରା ପରମ୍ପରା ଦେଖିବାକୁ ମିଳେ । ସୁରଖେଡା, ସନନ୍ଦା ଓ ଅମ୍ବଲା । ଗୁଜରାଟର ଏହି ତିନୋଟି ଗ୍ରାମରେ ବିବାହ ଉତ୍ସବରେ ସମ୍ପୂର୍ଣ୍ଣ ନିଆରା ପରମ୍ପରା ରହିଛି, ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ ।

ଏହି ତିନୋଟି ଗ୍ରାମରେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ହୋଇଥାଏ । ଏଠାରେ ବରର ଅବିବାହିତ ଭଉଣୀ ବା ତାଙ୍କ ପରିବାର କୌଣସି ଅବିବାହିତ ଝିଅ ବିବାହ କାର୍ଯ୍ୟରେ ବରର ସ୍ଥାନ ଗ୍ରହଣ କରିଥାଏ । ବର ମା’ଙ୍କ ସହ ଘରେ ରହିଥାଏ ଏବଂ ତାଙ୍କ ସ୍ଥାନରେ ସେହି ଅବିବାହିତ ଝିଅ ଏବଂ କନ୍ୟାଙ୍କ ମଧ୍ୟରେ ସମସ୍ତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଅବିବାହିତ ଝିଅ ଜଣକ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥାଏ ଏବଂ ସମସ୍ତ ରାତିନୀତି ଅନୁଯାୟୀ କନ୍ୟା ସହ ବିବାହ କାର୍ଯ୍ୟ ସମ୍ପନ୍ନ କରି ବୋହୂକୁ ଘରକୁ ଆଣିଥାଏ ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, କିଛି ଦିନେ ପୂର୍ବେ ଏହି ପରମ୍ପରା ଭାଙ୍ଗିବାକୁ ଗ୍ରାମବାସୀ ଚେଷ୍ଟା କରିଥିଲେ । କିନ୍ତୁ ଏହା ଦ୍ବାରା ସେମାନଙ୍କୁ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥିଲା । ବିବାହ ବିଚ୍ଛେଦ , ପାରିବାରିକ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ ବୋଲି ସେଠାକାର ଲୋକଙ୍କ ବିଶ୍ବାସ ରହିଛି । ତେଣୁ କାହିଁ କେଉଁ କାଳରୁ ଏଭଳି ଏକ ନିଆରା ପରମ୍ପରାକୁ ନେଇ ବିବାହ କାର୍ଯ୍ୟ ହୋଇଆସୁଛି।

Comments are closed.