ଅମ୍ପନ ମୁକାବିଲା: ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବା ପୁନରୁଦ୍ଧାର କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ଶକ୍ତିମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : ଅମ୍ପନ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ୱାଭାବିକ କରିବା ପାଇଁ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଦିନରାତି ଅବିରତ ଭାବେ କାର୍ଯ୍ୟ କରୁଛନ୍ତି। ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବା କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭୂୟସୀ ପ୍ରଶଂସା କରିଛନ୍ତି। ଏଥି ସହିତ ବାତ୍ୟା ଭଳି ଏକ ସଙ୍କଟମୟ ପରିସ୍ଥିତିରେ ସମସ୍ତ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଯେଉଁ ଉତ୍କର୍ଷ ନେତୃତ୍ୱ ପ୍ରଦାନ କରିଛନ୍ତି ତାହା ତାଙ୍କ ଦୂରଦର୍ଶିତାକୁ ପ୍ରତିପାଦିତ କରୁଛି ବୋଲି ସେ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ପ୍ରାୟ ୨୬-୨୭ ଲକ୍ଷ ସେସୁ, ୧୬ ଲକ୍ଷ ନେସ୍କୋ ଏବଂ ୨ ଲକ୍ଷ ସାଉଥ୍‌କୋ ବିଦ୍ୟୁତ୍‌ ଉପଭୋକ୍ତା ଅମ୍ପନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସମସ୍ତ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପାଇଁ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯାଇଥିଲା। ଯେତେବେଳେ ଏତେ ବୃହତ୍‌ ସଂଖ୍ୟାରେ ଲୋକ କ୍ଷତିଗ୍ରସ୍ତ ହୋଇଥାନ୍ତି ସେ କ୍ଷେତ୍ରରେ ପୁନରୁଦ୍ଧାର ସହଜ ହୋଇନଥାଏ। ଆମର ପ୍ରସ୍ତୁତି ଏବଂ କାର୍ଯ୍ୟକୌଶଳ ବାତ୍ୟା ପୂର୍ବରୁ ଏବଂ ପରେ ଆମକୁ ଯଥେଷ୍ଟ ସାହାଯ୍ୟ କରିଛି ବୋଲି ସେ କହିଥିଲେ। ନେସ୍କୋ ଅଧୀନରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ଏବଂ ଟିମ୍‌ଗୁଡ଼ିକୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପ୍ରେରଣ କରାଯାଇଛି। ୧୫୮ଟି ଗ୍ୟାଙ୍ଗକୁ ନେଇ ସପ୍ତାହକ ମଧ୍ୟରେ ସଂପୂର୍ଣ୍ଣ କାର୍ଯ୍ୟ ସାରିବାକୁ ସ୍ଥିର କରାଯାଇଛି। ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ସେବା ବିଭାଗଗୁଡ଼ିକର କାର୍ଯ୍ୟକୁ ମଧ୍ୟ ଶକ୍ତି ମନ୍ତ୍ରୀ ବେଶ୍‌ ପ୍ରଶଂସା କରିଛନ୍ତି।

Comments are closed.