ମଧୁମେହ ରେଟିନୋପାଥି ଦୃଷ୍ଟିହୀନତାର କାରଣ ହୋଇପାରେ

ଭୁବନେଶ୍ୱର: ମଧୁମେହ ଏଭଳି ଏକ ରୋଗ, ଯାହା ଅନେକ ଦୁସାଧ୍ୟ ରୋଗର କାରଣ ହୋଇଥାଏ । କୋଭିଡ-୧୯ ସଂକ୍ରମଣ ପରବର୍ତ୍ତୀ ସମୟରେ ଦେଶରେ ମଧୁମେହ ରୋଗୀମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ମଧୁମେହ କାରଣରୁ ପ୍ରତିକାରଯୋଗ୍ୟ ଦୃଷ୍ଟିହୀନତା ସମସ୍ୟାରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ସାଧାରଣ ରକ୍ତ ଶର୍କରା ଧାର୍ଯ୍ୟସ୍ତର ଠାରୁ ଅଧିକ ରହିବା ଦୃଷ୍ଟିହୀନତାର ଏକ ପ୍ରତ୍ୟକ୍ଷ କାରଣ ହୋଇନପାରେ, କିନ୍ତୁ ଏହାଦ୍ୱାରା ଗୁରୁତର ଚକ୍ଷୁ ଅବସ୍ଥା ଯଥା ମଧୁମେହ ରେଟିନୋପାଥି ବିକଶିତ ହେବାର ସମ୍ଭାବନା ଦେଖାଦେଇଥାଏ । ଯାହଦ୍ୱାରା ସମୟ କ୍ରମେ ଜଣଙ୍କର ସ୍ଥାୟୀ ଭାବରେ ଦୃଷ୍ଟିଶକ୍ତି ହାନି ହୋଇପାରେ । ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ୪୨୨ ନିୟୁତ ଲୋକ ମଧୁମେହରେ ପୀଡ଼ିତ । ବିଶେଷ କରି କମ୍ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ସାରା ବିଶ୍ୱରେ ଏହା ମୃତ୍ୟୁର ଏକ ପ୍ରମୁଖ କାରଣ ଏବଂ ପ୍ରତି ବର୍ଷ ଏହି କାରଣରୁ ୧.୫ ନିୟୁତ ମୃତ୍ୟୁ ହୋଇଥାଏ । ଏହାଦ୍ୱାରା ମଧ୍ୟ ସାରା ବିଶ୍ୱରେ ୨.୬% ଦୃଷ୍ଟିହୀନତା ସମସ୍ୟା ଦେଖା ଦେଇଥାଏ ବୋଲି ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିପିଟାଲ, ଭୁବନେଶ୍ୱରର ସିନିୟର କନ୍ସଲଟାଂଟ ଅପଥାଲମୋଲୋଜିଷ୍ଟ ଡାକ୍ତର ଚନ୍ଦ୍ର ଶେଖର ସାହୁ କହିଛନ୍ତି । ସେ କହିଛନ୍ତି, ପ୍ରତି ୪ ଜଣ କାର୍ଯ୍ୟ କରୁଥିବା ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଠାରେ ଅଣନିରୁପିତ ଅବସ୍ଥାରେ ମଧୁମେହ ରହିଛି । ଅନେକ ସମୟରେ ଚକ୍ଷୁ ସମସ୍ୟା ହେତୁ ଏହି ଅବସ୍ଥା ସମ୍ପର୍କରେ ଜଣା ପଡ଼ିଥାଏ । ତେଣୁ ମଧୁମେହ ଚକ୍ଷୁ ରୋଗର ଲକ୍ଷଣ ସମ୍ବନ୍ଧରେ ସଚେତନ ହେବା ଆବଶ୍ୟକ । ଯଦି ଏହାକୁ ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ଏହାଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ । ସେ କହିଛନ୍ତି, ପ୍ରାରମ୍ଭିକ ଅବସ୍ଥାରେ କୌଣସି ପ୍ରକାର ଲକ୍ଷଣ ଦେଖା ଯାଇନଥାଏ । ରୋଗର ଅଗ୍ରଗତି ହେବା ସହିତ ଆଖିକୁ ଜାଲୁ ଜାଲୁଆ ଦେଖାଯିବା, ଦେଖିବାରେ ଅସୁବିଧା, ଚକ୍ଷୁରେ ଗାଢ଼ ବା ଶୂନ୍ୟ ସ୍ଥାନ, ହଠାତ୍ ଦୃଷ୍ଟି ଶକ୍ତି ହାନୀ ହୋଇପାରେ । ଯେତେବେଳେ ରୋଗ ସାଧାରଣରୁ ମଧ୍ୟମ ଅବସ୍ଥାକୁ ଗତି କରେ ଏହାକୁ ନନ-ପ୍ରୋଲିଫେରାଟିଭ୍ ରେଟିନୋପାଥି (ଏନପିଡିଆର) କୁହାଯାଏ ଓ ଏହାର ଗୁରୁତର ଅବସ୍ଥାକୁ ପ୍ରୋଲିଫେରାଟିଭ ଡାଇବେଟିକ୍ ରେଟିନୋପାଥି (ପିଡିଆର) କୁହାଯାଏ । ଡ୍ରପ୍ସ ସହାୟତାରେ ଆଖି ଡୋଳାକୁ ଡାଏଲେଟ କରି ଓ ରେଟିନାର ପରୀକ୍ଷା କରି ଡାଇବେଟିକ୍ ରେଟିନୋପାଥିକୁ ଡାକ୍ତରୀ ଭାବରେ ନିରୁପିତ କରାଯାଇପାରେ । ଯଦି ପରିବର୍ତନ ଦେଖାଯାଏ ତେବେ ଏଫଏଫଏ ଓ ଓସିଟି ପରୀକ୍ଷା ମାଧ୍ୟମରେ ଏହି ରୋଗର ତୀବ୍ରତା ସମ୍ପର୍କରେ ପରୀକ୍ଷା କରାଯାଇଥାଏ । ଏହି ଚିକିତ୍ସାରେ କ୍ଷତିଗ୍ରସ୍ତ ଧମନୀ ପାଇଁ ଲେଜର ଉପଚାର କରାଯାଇଥାଏ । ଯଦି ରେଟିନାରେ ସ୍ୱେଲିଂ ଦେଖାଯାଏ ତେବେ ଏହା ହ୍ରାସ ନହେବା ପର୍ଯ୍ୟନ୍ତ ମାସିକ ଇଂଟ୍ରାଭିଟେରିଆଲ୍ ଆଂଟି-ଭିଇଜିଏଫ୍ ଇଞ୍ଜେକ୍ସନ ଆଖିରେ ପ୍ରଦାନ କରାଯାଇଥାଏ । ଗୁରୁତର କ୍ଷେତ୍ରରେ ଏହାର ସର୍ଜରୀ କରାଯାଇଥାଏ ।

Comments are closed.