ସାଂସ୍କୃତି ଓ ପରମ୍ପରା ମଣିଷକୁ ଜୀଇଁବା ଶିଖାଏ : ପତ୍ରାପଡ଼ାଠାରେ ଦିଆଲ ପରବ ଉଦଯାପିତ

ଲାଞ୍ଜିଗଡ : ମଣିଷ ସାଧାରଣତଃ କଳା ଓ ସଂସ୍କୃତି ପ୍ରିୟ । ଜୀବନର ତମା ଦୁଃଖସୁଖ ହାନି ଲାଭର ହରଡ଼ଘଣାରୁ କିଛି ସମୟ ମନ ଭୁଲାଇବା ପାଇଁ ମଣିଷ ଯେପରି ଅବସର ବିନୋଦନର ସୁଯୋଗ ଖୋଜେ। ସେହି ସମୟରେ କଳା, ସଂସ୍କୃତି ହିଁ ତାକୁ ସେଇ ଉପାଦାନ ଯୋଗାଇଦିଏ। ସେହିପରି ବର୍ତ୍ତମାନର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଦ୍ୱାରା କଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ହୋଇ ପାରୁଥିବାବେଳେ ସଂସ୍କୃତି ଓ ଦୀର୍ଘ ବର୍ଷର ପରମ୍ପରା ହିଁ ବ୍ୟସ୍ତ, ବିବ୍ରତ ଓ ଜଞ୍ଜାଳଗ୍ରସ୍ତ ମଣିଷକୁ ଜୀଇଁବା ଶିଖାଉଛି ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ପତ୍ରାପଡ଼ାଠାରେ ଅନୁଷ୍ଠିତ ଦିଆଲ୍ ପରବର ଉଦଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହାସହିତ ବର୍ତ୍ତମାନର କରୋନା କାଳରେ ମଣିଷର ଜୀବନ ଯାତ୍ରା ବ୍ୟାହତ ହୋଇଛି ସତ କିନ୍ତୁ କଳା, ସଂସ୍କୃତି ଓ ପରମ୍ପରାର ମଜବୁତ୍ ମୂଳଦୁଆ ଉପରେ ମଣିଷ ସମାଜ ତିଷ୍ଠି ରହିବା ସହିତ ଜୀଇଁବାର ନୂଆ ନୂଆ ବାଟ ଖୋଜି ଜୀଇଁବା ଶିଖୁଛି ବୋଲି ସେମାନେ କହିଛନ୍ତି ।

ପତ୍ରାପଡ଼ାସ୍ଥିତ ବୁଢାରଜା ଗ୍ରାମ୍ୟ କମିଟି ଦ୍ୱାରା ଆୟୋଜିତ ପାରମ୍ପରିକ ଦିଆଲ୍ ପରବର ବର୍ଣ୍ଣାଢ୍ୟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଯୁବଲେଖକ ସମାବେଶର ସଭାପତି ତଥା ଯୁବଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବେଦାନ୍ତ ଲିମିଟେଡ଼ର ବାହ୍ୟ ସଂପର୍କ ବିଭାଗର ଚିନ୍ମୟ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଚାଞ୍ଚେର ମାଝୀ, ମହେନ୍ଦ୍ର କରୁଆଁ, ପିଣ୍ଟୁ ପତି, ହୃଷିକେଶ ପୁଟେଲ, ଗାଁ ମୁଖିଆ ତ୍ରିକାନ୍ତ ଦୁର୍ଗା, ଗ୍ରାମ୍ୟ କମିଟିର ସଭାପତି ଶରତ ନାଏକ, ନୀଳକଣ୍ଠ ସୁନା, ବଳିଷ୍ଠ ବିଭାର ପ୍ରମୁଖ ମଞ୍ଚାସୀନ ଥିଲେ। ଉଦଯାପନୀ ଉତ୍ସବ ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ନୃତ୍ୟଦଳ ଅଂଶଗ୍ରହଣ କରିଥିଲେ। ବୁଢାରଜା ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ପତ୍ରାପଡ଼ା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାକୁ ସୁବାସ ହିଆଁଲ, ମହାନ୍ତି କରୁଆଁ, ହୋତାଶନ ଦୁର୍ଗା ପ୍ରମୁଖ ପରିଚାଳନା କରିଥିବାବେଳେ ବାବା ସାହେବ ଯୁବକ ସଂଘର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Comments are closed.