ଏଣିକି ଗୋଟିଏ ନମ୍ବରରେ ମିଳିବ ୩ ଜରୁରୀ ସେବା: ପୁଲିସ, ଆମ୍ବୁଲାନ୍ସ ଓ ଦମକଳ ପାଇଁ ଡାଏଲ୍‌ ନମ୍ବର ‘୧୧୨’

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ନିଆଁ ଲାଗିଗଲେ କିମ୍ବା ଅଘଟଣ ଘଟିଲେ ଦମକଳ ସହାୟତା ଓ ପୁଲିସ ସେବା ପାଇଁ ପୃଥକ୍ ପୃଥକ୍‌ ଭାବେ ଡାଏଲ୍‌ କରିବାକୁ ପଡ଼ିବ ନାହିଁ। ଏଣିକି ଗୋଟିଏ ନମ୍ବରରେ ଏସବୁ ୩ ଜରୁରୀ ସେବା ଉପଲବ୍ଧ ହେବ। ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ନମ୍ବର ୧୧୨କୁ ଡାଏଲ୍‌ କରି ଜରୁରୀ ସେବା ପାଇପାରିବେ। ସାରା ରାଜ୍ୟ ପାଇଁ ଏବେ କାମ କରିବ ଏହି ନମ୍ବର। ଏଣିକି ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସ ଜରିଆରେ ଆପଦକାଳୀନ ତ୍ୱରିତ ସହାୟତା ବ୍ୟବସ୍ଥା ଡାଏଲ୍‌-୧୧୨ର ଶୁଭାରମ୍ଭ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିଠାରୁ ଜନସାଧାରଣ ବିପଦପୂର୍ଣ୍ଣ ସମୟରେ ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ମୁକାବିଲା ଏବଂ ଅନ୍ୟାନ୍ୟ ଆପଦକାଳୀନ ସେବାସଂପୃକ୍ତ ଆବଶ୍ୟକତା ନିମନ୍ତେ ଏକକ ନମ୍ବର ୧୧୨କୁ ଡାଏଲ୍‌ କରିପାରିବେ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ରାଜ୍ୟ ଆପଦକାଳୀନ ବ୍ୟବସ୍ଥା କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ମୋବାଇଲ୍‌ ଡାଟା ଟର୍ମିନାଲସଂପନ୍ନ ଆପଦକାଳୀନ ତ୍ୱରିତ ସେବା ପ୍ରଦାୟକ ଯାନର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ୧୫୭.୧୨ କୋଟି ଟଙ୍କାର ବ୍ୟବସ୍ଥା ଓ ୨୫୦୦ ପଦବୀର ବନ୍ଦୋବସ୍ତ କରିଛନ୍ତି । ଏହି ନୂତନ ବ୍ୟବସ୍ଥା ଫଳରେ ଏବେ ପ୍ରଚଳିତ ପୁଲିସ୍‌-୧୦୦, ଅଗ୍ନିଶମ-୧୦୧ ଓ ଆମ୍ବୁଲାନ୍ସ-୧୦୮/୧୦୨ ନମ୍ବରଗୁଡ଼ିକ ୧୧୨ ନିଃଶୁଳ୍କ ନମ୍ବର ସହିତ ପର୍ଯ୍ୟାୟ କ୍ରମେ ସମନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନୂତନ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଭଏସ୍‌ କଲ୍‌, ଏସ୍‌ଏମ୍‌ଏସ୍‌, ପ୍ୟାନିକ୍‌ ଏସ୍‌ଓଏସ୍‌ ଅନୁରୋଧ ଏବଂ େୱବ୍‌ ଅନୁରୋଧ ମଧ୍ୟ ସ୍ୱତନ୍ତ୍ର ଭାବରେ ବିକଶିତ ୧୧୨ ଇଣ୍ଡିଆ ଆପ୍‌ ମାଧ୍ୟମରେ ବିଭିନ୍ନ ତଥ୍ୟ ଗ୍ରହଣ କରିବାର ସୁବିଧା ରହିଥିବା ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ। ଆପଦକାଳୀନ ତ୍ୱରିତ ସେବା କେନ୍ଦ୍ରଟି ଜିଲା ସ୍ତରରେ ୩୪ଟି ଜିଲା ସମନ୍ୱୟ କେନ୍ଦ୍ର ସହିତ ଡିଜିଟାଲ୍‌ ମାଧ୍ୟମରେ ସଂଯୁକ୍ତ ହୋଇଛି ଏବଂ ଠିକଣା ଭାବରେ ଆପଦକାଳୀନ ସେବା ପ୍ରଦାୟକ ଯାନଗୁଡ଼ିକ ପ୍ରସ୍ତୁତ ରହିଛି। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ୧୧୨ ଇଣ୍ଡିଆ ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବା ଏବଂ ବିପଦ ସମୟରେ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ୧୧୨ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକୃତ ହେବାକୁ ଅନୁରୋଧ ଜଣାଇଛନ୍ତି।


ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦେଶକ ଅଭୟ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ, ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଥିଲେ। ୧୧୨ ସେବା ପାଇଁ ୪ ଜଣ ଡିଏସ୍‌ପି, ୧୫୧ ଜଣ ସବ୍‌ଇନ୍ସପେକ୍ଟର, ୨୦୩ ଜଣସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।


ସୂଚନାଯୋଗ୍ୟ ୨୦୨୦ ଡିସେମ୍ବର ୨ରେ ଜନସାଧାରଣଙ୍କୁ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯିବାର ବ୍ୟବସ୍ଥା କରାଯାଇଥିଲା, ଯାହାର ଆଜି ଶୁଭାରମ୍ଭ କରାଯାଇଛି।

Comments are closed.