ରାଜପଥ ଧୁଳିରେ ଓରନ୍ଦାବାସୀ ଅତିଷ୍ଠ

ଆନ୍ଦୋଳନ ପାଇଁ ଚେତାବନୀ

ଗୁରୁଡିଝାଟିଆ :  ୫୫ ନଂ ଜାତୀୟ ରାଜପଥର ଧୁଳିରେ ରୁନ୍ଧି ହୋଇ ପଡିଲେଣି ଓରନ୍ଦା ଗ୍ରାମବାସୀ। ଶିଶୁ ଓ ବରିଷ୍ଠ ନାଗରିକମାନ ଶ୍ୱାସ ରୋଗରେ ଆକ୍ରାନ୍ତ ହେଲେଣି। ଘରର ବାରଣ୍ଡା, ଛାତ ସହିତ ଗଛରେ ହୋଇଥିବା ପନିପରିବା ଉପରେ ଧୁଳିର ଆସ୍ତରଣ ବହଳିଆ ହୋଇ ପଡି ରହୁଛି । ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗାଁଟି ଅବସ୍ଥିତ । ଦୈନିକ ଶହଶହ ସଂଖ୍ୟାରେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ ଧୁଳିର ଆସ୍ତରଣ ଧୂଆଁର ଭ୍ରମ ସୃଷ୍ଟି କରୁଛି । ଦୀର୍ଘଦିନ ଧରି ରାଜପଥ ସଂପ୍ରସାରଣ ପାଇଁ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ ଠିକାଦାର ସଠିକ୍ ଢଙ୍ଗରେ ରାସ୍ତାକାମ କରୁନାହାନ୍ତି । କେଉଁଠି ସଂପ୍ରସାରଣ ନାମରେ ପିଚୁ ତାଡି ରାସ୍ତାକାମ କରୁନାହାନ୍ତି ତ ଆଉ କେଉଁଠାରେ ପିଚୁକାମ କରୁଛନ୍ତି । ଏଥିଯୋଗୁଁ ଗାଁ ପାର୍ଶ୍ବରେ ପିଚୁ ନଥିବା ବେଳେ ଖାଲି ଧୁଳି ଆଉ ଧୁଳି । ଟ୍ରକ ଓ ବସ ଯିବା ସମୟରେ ଧୁଳି ଏତେ ପରିମାଣରେ ଉଡୁଛି ଯାହା ଜଣେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ବାଇକ ଆରୋହୀଙ୍କ କଥା ନକହିଲେ ଭଲ। ଭାରୀଯାନ ପଛରେ ବାଇକ ଚାଳକ ଗାଡି ଚଲାଇ ଗଲାବେଳେ ଗନ୍ତବ୍ୟସ୍ଥଳରେ ନିଜର ବେଶଭୂଷାର ରଙ୍ଗ ବଦଳିଯାଇ ଧୂସର ହୋଇ ଯାଇଥାଏ । ରାସ୍ତାକଡରେ ଦୂରଦୂରାନ୍ତକୁ ଯିବା ପାଇଁ ଠିଆ ହୋଇଥିବା ଯାତ୍ରୀମାନେ ଧୁଳିରେ ଅଣନିଶ୍ୱସୀ ହୋଇ ପଡନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଠିକାଦାରଙ୍କ ମନୋମୁଖି କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଲେଣି । ତୁରନ୍ତ ରାସ୍ତାକାମ ସଂପନ୍ନ କରିବା ଓ ଧୁଳି ଉଡିବା ବନ୍ଦ କରିବା ନିମନ୍ତେ ଗାଁର ସମ୍ପାଦକ ପ୍ରେମାନନ୍ଦ ବେଉଣା ଦାବି ଜଣାଇଛନ୍ତି।

Comments are closed.