ଆଇପିଏଲ୍‍: ଗୋଟିଏ ଦଳ ପାଇଁ ୧୦୦ ବିଜୟ

ଧୋନି ପ୍ରଥମ ଅଧିନାୟକ

ଆବୁଧାବି : ଚଳିତ ଆଇପିଏଲ୍‍ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଶନିବାର ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସକୁ ୫ ୱିକେଟରେ ପରାସ୍ତକରି ବିଜୟ ଅଭିଯାନ ଆରମ୍ଭ କରିଛି ୩ ଥର ଚମ୍ପିଆନ୍‍ ହୋଇଥିବା ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)। ଏହି ବିଜୟ ସହ ଗୋଟିଏ ଫ୍ରାଞ୍ଚାଇଜି (ସିଏସ୍‍କେ) ପାଇଁ ଆଇପିଏଲ୍‍ରେ ୧୦୦ ମ୍ୟାଚ୍‍ ଜିତାଇବାରେ ପ୍ରଥମ ଅଧିନାୟକ ହୋଇ ପାରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଆଇପିଏଲ୍‍ର ଗତ ୧୨ଟି ସଂସ୍କରଣ ମଧ୍ୟରୁ ଚେନ୍ନଇ ସୁପର କିଙ୍ଗ୍‍ସ ୧୦ଟି ସଂସ୍କରଣ ଖେଳିଥିବା ବେଳେ ପ୍ରତିଥର ଧୋନି ଏହି ଫ୍ରାଞ୍ଚାଇଜିର ନେତୃତ୍ୱ ନେଇଥିଲେ। ଚଳିତ ସଂସ୍କରଣ ପୂର୍ବରୁ ଧୋନିଙ୍କ ନେତୃତ୍ୱରେ ସିଏସ୍‍କେ ୯୯ଟି ମ୍ୟାଚ୍‍ ଜିତିଥିଲା।

ଶନିବାର ଉଦ୍‍ଘାଟନୀ ମ୍ୟାଚ୍‍ରେ ସିଏସ୍‍କେର ବିଜୟ ପରେ ଅଧିନାୟକ ଭାବେ ଧୋନି ସିଏସ୍‍କେକୁ ୧୦୦ ମ୍ୟାଚ୍‍ ଜିତିବାର କୃତିତ୍ୱ ପୂରଣ କରିଛନ୍ତି। ସିଏସ୍‍କେ ୨ ବର୍ଷ ଲାଗି ବାସନ୍ଦ ହୋଇଥିବା ବେଳେ ଧୋନି ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ ପାଇଁ ଖେଳିଥିଲେ। ଏହି ଫ୍ରାଞ୍ଚାଇଜିକୁ ଅଧିନାୟକ ଭାବେ ଧୋନି ୫ଟି ମ୍ୟାଚ୍‍ ଜିତାଇଛନ୍ତି। ଫଳରେ ଅଦ୍ୟାବଧି ଧୋନି ଅଧିନାୟକ ଭାବେ ଆଇପିଏଲ୍‍ରେ ମୋଟ ୧୦୫ଟି ମ୍ୟାଚ୍‍ରେ ତାଙ୍କ ଦଳକୁ ଜିତାଇଛନ୍ତି। ଅଦ୍ୟାବଧି ଧୋନି ୧୭୫ଟି ଆଇପିଏଲ୍‍ ମ୍ୟାଚ୍‍ରେ ନେତୃତ୍ୱ ନେଇଛନ୍ତି। ଏଥିରୁ ସେ ୧୪ଟି ମ୍ୟାଚ୍‍ରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସର ନେତୃତ୍ୱ ନେଇଥିଲେ। ଧୋନିଙ୍କ ପରେ କେକେଆର୍‍ର ଅଧିନାୟକ ଭାବେ ଗୌତମ ଗମ୍ଭୀର ଦଳକୁ ୭୧ଟି ଏବଂ ମୁମ୍ବଇ ଇଣ୍ଡିଆନ୍‍ସର ଅଧିନାୟକ ଭାବେ ରୋହିତ ଶର୍ମା ଦଳକୁ ୬୦ଟି ମ୍ୟାଚ୍‍ରେ ଜିତାଇଛନ୍ତି। ଧୋନିଙ୍କ ଅଧୀନରେ ସିଏସ୍‍କେ ୮ ଥର ଫାଇନାଲ ଖେଳି ୩ ଥର ଚମ୍ପିଆନ୍‍ ହୋଇଛି। ପୁଣି ୨ ଥର ସିଏସ୍‍କେ ଚମ୍ପିଆନ୍‍ସ ଲିଗ୍‍ ମଧ୍ୟ ଜିତିଛି। ସୂଚନାଯୋଗ୍ୟ; ଗତବର୍ଷ ବିଶ୍ୱକପ୍‍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତର ପରାଜୟ ପରେ ଧୋନି କୌଣସି ମ୍ୟାଚ୍‍ ଖେଳିନଥିଲେ। ଫଳରେ ଦୀର୍ଘ ୪୩୭ ଦିନ ପରେ ଧୋନି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‍ ଶନିବାର ଖେଳିଥିଲେ। ଏହି ମ୍ୟାଚ୍‍ରେ ଧୋନି ବିନା ସ୍କୋର୍‍ରେ ଅପରାଜିତ ଥିଲେ ସତ। ଅଧିନାୟକ ଭାବେ ତାଙ୍କ କୃତିତ୍ୱ ପ୍ରତିପାଦନ କରି ପାରିଥିଲେ। ମୁମ୍ବଇ ୧୪ ଓଭରରେ ୩ ୱିକେଟରେ ୧୨୪ ରନ୍‍ କରିଥିବା ବେଳେ ଧୋନିଙ୍କ ବୁଦ୍ଧିମାନଭରା ବୋଲିଂ ପରିବର୍ତ୍ତନ ଯୋଗୁଁ ମୁମ୍ବଇ ଶେଷ ୬ ଓଭରରୁ ମାତ୍ର ୩୮ ରନ୍‍କରି ୬ଟି ୱିକେଟ ହରାଇଥିଲା। ଏହି ବିଜୟ ସହ ଆଇପିଏଲ୍‍ରେ ମୁମ୍ବଇ ଇଣ୍ଡିଆନ୍‍ସଠାରୁ କ୍ରମାଗତ ୫ଟି ମ୍ୟାଚ୍‍ ହାରିଥିବା ସିଏସ୍‍କେର ପରାଜୟଧାରା ଭଙ୍ଗ ହୋଇଛି।

Comments are closed.