ଢେଙ୍କିକୋଟ ଜୋନ ଉପନିର୍ବାଚନ ୭୫.୨୮ ପ୍ରତିଶତ ମତଦାନ, ପୋଇପାଣିରେ ବିଶୃଙ୍ଖଳାକାରୀଙ୍କୁ ଲାଠି ମାଡ଼

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ୮ନଂ ଢେଙ୍କିକୋଟ ଜୋନ ପାଇଁ ଅନୁଷ୍ଠିତ ଆଜି ଉପନର୍ବାଚନରେ ମୋଟ ୭୫.୨୮ ପ୍ରତିଶତ ଭୋଟ ସଂଗୃହିତ ହୋଇଛି। ମୋଟ ୩୨ହଜାର ୮୯୭ ଭୋଟରଙ୍କ ମଧ୍ୟରୁ ୨୪ ହଜାର ୭୬୬ ଜଣ ଭୋଟର ଭୋଟ ଦେଇଛନ୍ତି। ଭୋଟ ଗ୍ରହଣ ପାଇଁ ଏହି ଜୋନ ଅନ୍ତର୍ଗତ ୧୦ଟି ପଞ୍ଚାୟତରେ ମୋଟ ୧୧୩ଟି ବୁଥ ସ୍ଥାପନ କରାଯାଇ ସକାଳ ୭ଘଟିକା ଠାରୁ ଦିନ ଗୋଟାଏ ଯାଏ ଭୋଟ ଗ୍ରହଣ କରାଯାଇଥିଲା। ମତଦାନ ସମୟରେ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣୀ ବୁଥରେ ମତଦାନ ଚାଲୁଥିବା ସମୟରେ ୩ଜଣ ବିଶୃଙ୍ଖଳାକାରୀ ପ୍ରବଳ ମଦ୍ୟପାନ କରି ପୁଲିସ ସହ ଝଗଡା କରି ସେମାନଙ୍କୁ ଧକ୍କା ମାରିବା କାରଣରୁ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବିଶୃଙ୍ଖଳା ଏଡ଼ାଇବା ଦାୟିତ୍ୱରେ ଥିବା ସୂତନ୍ତ୍ର ପୁଲିସ ବାହିନୀ ସେଠାରେ ପହଞ୍ଚି ବିଶୃଙ୍ଖଳାକାରୀଙ୍କ ଉପରେ ଲାଠିମାଡ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥଲା।
ସେହିପରି ମୁକ୍ତାପୁର ପଞ୍ଚାୟତରେ ଏକ ବୁଥରେ ଜଣେ ବ୍ୟକ୍ତି ବିଶୃଙ୍ଖଳା କରି ଜବରଦସ୍ତ ଭୋଟ ଦେବାକୁ ଜିଦ ଧରିବାରୁ ତାଙ୍କୁ ଘଉଡାଇ ଦିଆଯାଇଥିଲା। ଜିଲାର ମାତ୍ର ଗୋଟିଏ ସ୍ଥାନରେ ଜିଲା ପରିଷଦ ପାଇଁ ଉପନିର୍ବାଚନ ହୋଉଥିବାରୁ ଜିଲ୍ଲାପାଳ ଆଶିଷ ଠାକରେ ମଧ୍ୟ ମନୋହରପୁର ପଞ୍ଚାୟତ ରେ ବୁଥ ପରିଦର୍ଶନ କରିଥିଲେ। ଏହାଛଡା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ଏପିଡି ଜୟଶ୍ରୀ ବେହେରା, ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଜିଲା ପଞ୍ଚାୟତ ଅଧିକାରି ପୁର୍ଣ୍ଣଚନ୍ଦ୍ର ବେହେରା, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ଘଟଗାଁ ତହସିଲଦାର ଜନକ କୁମାର ନାଏକ, ଅତିରିକ୍ତ ତହସିଲଦାର ବଳଭଦ୍ର ପୂର୍ତ୍ତି ପ୍ରମୁଖ ବିଭିନ୍ନ ବୁଥ ପରିଦର୍ଶନ କରିଥିବlବେଳେ ଅତିରିକ୍ତ ଏସପି ବିରଞ୍ଚି ପ୍ରସାଦ ଦେହୁରୀ, ଘଟଗାଁ ଏସଡିପିଓ ଅସିତ ରଞ୍ଜନ ମହାନ୍ତି, ଘଟଗାଁ ଥାନାଧିକାରୀ ପ୍ରତିଭା ମଞ୍ଜରୀ ସାହୁ, ଡିଏସପି ସୁବ୍ରତ କୁମାର, ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ପ୍ରମୁଖ ପୁଲିସ ବାହିନୀ ସୁରକ୍ଷା ଦାୟିତ୍ବରେ ଥିଲେ। ଆସନ୍ତାକାଲି ଭୋଟ ଗଣତି ଘଟଗାଁ ଠାରେ ହେବ।

Comments are closed.