୪ ଜିଲାରେ ବଢ଼ିବ ଶିଳ୍ପାୟନ : ଧର୍ମେନ୍ଦ୍ର

ଓଡାପଡା: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ତେନ୍ତୁଳିଆପଡ଼ାରେ ଶନିବାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ସାଧାରଣ ବ୍ୟବହାରକାରୀ ପେଟ୍ରୋଲିୟମ ସୁବିଧା ଡିପୋର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଭାସି ମାଧ୍ୟମରେ ଉପସ୍ଥିତ ଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ବିଭାଗୀୟ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବୋଦୟ କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି କହିବା ସହ ପୂର୍ବଭାଗର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱ ଦେଇଛନ୍ତି ତାହାର ଫଳସ୍ୱରୁପ ଭାରତର ପୂର୍ବାଞ୍ଚଳ ରାଜ୍ୟ ବିଶେଷ କରି ଓଡ଼ିଶା ଗତ ବର୍ଷଗୁଡିକରେ ତ୍ୱରାନ୍ୱିତ ଅଭିବୃଦ୍ଧିର ସାକ୍ଷୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ନିକଟ ଅତୀତରେ ଅନେକ ପ୍ରକଳ୍ପ ଆସିଛି ଏବଂ ଖୁବ୍‍ ଶୀଘ୍ର ସେଗୁଡିକ କାର୍ଯ୍ୟାରମ୍ଭ କରିବ ବୋଲି ଶ୍ରୀ ପୁରୀ ପ୍ରକାଶ କରିଥିଲେ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଏଭଳି ପ୍ରକଳ୍ପ ଭାରତ ବର୍ଷରେ ପ୍ରଥମ କରି ସ୍ଥାପିତ ହେଉଛି। ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଢ଼େଙ୍କାନାଳ ଜିଲା ସମେତ ଅନୁଗୋଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଚାହିଦାକୁ ପୂରଣ କରିବ। ସେହିପରି ପାରାଦ୍ବୀପ ଧାମରାରୁ ତାଳଚେର ପର୍ଯ୍ୟନ୍ତ ଜଳପଥ ହେବ ଏବଂ ଏହି ପଥରେ ଷ୍ଟିମର ଚାଲିବା ନେଇ ମଧ୍ୟ ଭାରତ ସରକାରଙ୍କ ଯୋଜନା ରହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ବିପୁଳ ପୁଞ୍ଜିନିବେଶ କରୁଛନ୍ତି। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହା ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବା ସହ ଏକବିଂଶ ଶତାବ୍ଦୀର ଆହ୍ୱାନ ଗୁଣାତ୍ମକ ଜୀବନ ମୂଲ୍ୟ ଉପଲବ୍ଧ କରାଇବାରେ ସମର୍ଥ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Comments are closed.