ନୂଆବର୍ଷ ପୂର୍ବରୁ ଶାନ୍ତିସ୍ତୂପ ମରାମତି

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଶାନ୍ତିସ୍ତୂପ ମରାମତି ଲକ୍ଷ୍ୟରେ ଧଉଳି ଉନ୍ନୟନ କମିଟି (ଡିଡିସି) ଯୋଜନା ରଖିଛି। ଏଥିପାଇଁ ଶୁକ୍ରବାର ବୈଷୟିକ କମିଟି ଶାନ୍ତିସ୍ତୂପ ଯାଞ୍ଚ କରିଛି। ଏହି ଟିମ୍‌ ସ୍ତୂପର ଉପରୁ ତଳ ଅଂଶ ଯାଞ୍ଚ କରିଛି।
ଫଣି ବାତ୍ୟାଠାରୁ ଶାନ୍ତିସ୍ତୂପ ମରାମତି କରାଯାଇନଥିଲା। ସ୍ତୂପ ଦିନକୁ ଦିନ ଶ୍ରୀହୀନ ହେବା ସହ ସୌନ୍ଦର୍ଯ୍ୟ ବିଗିଡ଼ି ଯାଇଥିଲା। ସ୍ତୂପର ବିଭିନ୍ନ ସ୍ଥାନରେ ଫାଟ ହେବା ସହ ସିମେଣ୍ଟ ଖଣ୍ଡ ପଦାକୁ ଜଳଜଳ ହୋଇ ଦିଶୁଥିଲା। ଛତ୍ରୀରେ ଫାଟ ସୃଷ୍ଟି ହୋଇଥିଲା। ଧଉଳିର ବିକାଶ ପାଇଁ ଗତ ୨୦୦୨ରୁ ଧଉଳି ଉନ୍ନୟନ କମିଟି(ଡିଡିସି) ଗଠିତ ହୋଇଥିଲା। ଉକ୍ତ କମିଟି ତରଫରୁ ସ୍ତୂପ ପ୍ରତି ଧ୍ୟାନ ଦିଆଯାଇନଥିଲା। ପ୍ରତିବର୍ଷ କଳିଙ୍ଗ ନିପୋନ ସଂଘ ସ୍ତୂପ ମରାମତି କରିଥାଏ। ତେବେ ବାତ୍ୟା ପରଠାରୁ ସ୍ତୂପ ମରାମତି ହୋଇନଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଡିଡିସିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ଘଟଣାକୁ ଗୁରୁତ୍ବ ଦେଇ ନଭେମ୍ବର ୨୧ରେ ଡିଡିସି ବୈଠକ ଡାକି ସ୍ତୂପ ମରାମତି କରିବାକୁ ନିର୍ଦେଶ ଦେଇଥିଲେ। ସ୍ତୂପ ମରାମତି ଖର୍ଚ୍ଚ ଏଣିକି ଡିଡିସି କରିବ ବୋଲି ସେ କହିଥିଲେ।

ଡିଡିସିର ସମ୍ପାଦକ ତଥା ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କ ତତ୍ତ୍ବାବଧାନରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଭୁବନେଶ୍ବର ବିଡିଓ ରମେଶ ଚନ୍ଦ୍ର ସେଠୀ, କଳିଙ୍ଗ ନିପୋନ ବୁଦ୍ଧ ସଂଘର ସମ୍ପାଦକ ଲିକ୍ ୟୁ ୟଙ୍ଗ(ମାଇକେଲ) ଓ ଉନ୍ନୟନ ସଂଯୋଜକ ରବି ମହାରଣା, ଓଟିଡିସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶାଙ୍କ ଶେଖର ଦାଶ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ହରେକୃଷ୍ଣ ସାହୁ, ଓଟିଡିସିର କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ଜେନା ଟିମ୍‌ରେ ସାମିଲ ହୋଇ ସ୍ତୂପ ଅନୁଧ୍ୟାନ କରିଥିଲେ।

ବଡ଼ଦିନ ପୂର୍ବରୁ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ଆଶା କ୍ଷୀଣ
ଗତବର୍ଷ ଫଣି ବାତ୍ୟାରେ ଧଉଳିର ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ଛାରଖାର ହୋଇଯାଇଥିଲା। ଶୋ’ ପୁନଃ ଚାଲୁ କରିବା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଲ୍ଲୀର ଟ୍ରାଇକଲର ଇଣ୍ଡିଆ ସ୍କାଅସ୍‌ପି୍‌ଏଲ୍‌ (ପ୍ରା). ଲିମିଟେଡ଼ ସଂସ୍ଥା ସହାୟତାରେ କ୍ଷୟକ୍ଷତି ଆକଳନ କରିଥିଲା। ଆକଳନ ପରେ ପର୍ଯ୍ୟଟନ ବିଭାଗ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ମରାମତି ଲାଗି ୨କୋଟି ୩୧ଲକ୍ଷ ଟଙ୍କା ମଞ୍ଜୁର କରି ଆଇଟିଡିସିକୁ ମରାମତି ଦାୟିତ୍ବ ପ୍ରଦାନ କରିଥିଲା। ଆଇଟିଡିସି ତରଫରୁ ଟେଣ୍ଡର ହୋଇ କାର୍ଯ୍ୟ ଶେଷ ପରେ ଦୁଇ ଦୁଇଥର ପରୀକ୍ଷଣ ସରିଲାଣି। ତଥାପି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଶୋ’ ଚାଲୁ ହୋଇପାରୁନି। କୋଭିଡ ପରେ ଅକ୍ଟୋବର ୧୫ରେ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଧଉଳି ଖୋଲିବା ସହ ଖୁବ୍‌ଶୀଘ୍ର ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ଚାଲୁ ହେବ ବୋଲି ପର୍ଯ୍ୟଟନ ଅଧିକାରୀ କହିଥିଲେ। ହେଲେ ଧଉଳି ଖୋଲିବା ଦୁଇମାସ ପୂରିବାକୁ ବସିଥିବା ବେଳେ ଆଜି ଯାଏ ଶୋ’ ଚାଲୁ ହୋଇପାରୁନି। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଛି। ଏହି ଦିନରେ ଧଉଳିରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହେବ।
ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ଚାଲିବା ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ କହିଛନ୍ତି, ଆଇଟିଡିସି ପକ୍ଷରୁ ଶୋ’ ମରାମତି କାର୍ଯ୍ୟ ଶେଷ ହୋଇଛି। ବିଭାଗକୁ ଦାୟିତ୍ବ ହସ୍ତାନ୍ତର ହୋଇନଥିବାରୁ ଶୋ’ ଚାଲିବାରେ ବିଳମ୍ବ ଘଟୁଛି। ଦାୟିତ୍ବ ମିଳିବା କ୍ଷଣି କୋଭିଡ କଟକଣା ଭିତରେ ଚଳାଇବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

 

Comments are closed.