ବନ୍ୟାଞ୍ଚଳର ଲୋକଙ୍କୁ ଧର୍ମେନ୍ଦ୍ରଙ୍କ ସତର୍କତା

ସହାୟତା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ସମୟରେ ଆଉ ଏକ ଲଘୁଚାପ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି ସମୟରେ ବର୍ଷା ଓ ବନ୍ୟା ପାଇଁ ଅଧିକ ସତର୍କ ଓ ସଜାଗ ରହିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବନ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି ଯେ, ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ କିମ୍ବା କୌଣସି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଶାସନ ଦ୍ୱାରା ଜାରି ବନ୍ୟା ସତର୍କତା ସୂଚନାକୁ ପାଳନ କରନ୍ତୁ। ଏଭଳି ପରିସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ସମାଜର ଯୁବ ସାଥୀମାନେ ମଧ୍ୟ ଲୋକଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.