ଡ୍ରୋନ୍‍ ମାଧ୍ୟମରେ ଜନଜାତି ଅଂଚଳ ଲୋକଙ୍କୁ ସେବା: ଓଡ଼ିଶାରେ ହେଉ ପାଇଲଟ୍‍ ପ୍ରକଳ୍ପ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ଉପାନ୍ତ ଅଂଚଳରେ ଡ୍ରୋନ୍‍ ଜ୍ଞାନ କୌଶଳ ମାଧ୍ୟମରେ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ପାଇଲଟ୍‍ ପ୍ରକଳ୍ପ ଭାବରେ ଓଡ଼ିଶାକୁ ନେବା ପାଇଁ ବିଚାର କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ସେହିପରି ଓଡ଼ିଶାର ଜୈବିକ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଁଚାଇବା ପାଇଁ ବେସାମରିକ ବିମାନ ଚଳାଚଳ ଓ ରେଳ ବିଭାଗ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଜି ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ୍ଭ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାରେ ଆକାଶପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡର ପରବର୍ତୀ ପର୍ଯ୍ୟାୟରେ ଜୈବିକ ଚାଷ ସାମଗ୍ରୀର ମୂଲ୍ୟ ବଢ଼ିଛି। ଓଡ଼ିଶାର ଦୁର୍ଗମ ଅଂଚଳ ଭାବରେ ପରିଗଣିତ ଜନଜାତି ଅଧ୍ୟୁଷିତ କେବିକେ ଅଂଚଳ ବିଶେଷ ଭାବରେ କୋରାପୁଟ ଅଂଚଳରେ ଜୈବିକ କୃଷି ପ୍ରଣାଳିରେ ଉଚ୍ଚମାନର କୃଷିଜାତ ସାମଗ୍ରୀ ଉତ୍ପାଦନ କରାଯାଉଛି। ଜୈବିକ ପ୍ରଣାଳିରେ ଧାନ, ଆମ୍ବ, ପନିପରିବା, ଡ଼ାଲି ସାମଗ୍ରୀ ଭଳି ଚାଷ ହେଉଛି। ତେବେ ଦୁର୍ଗମ ଅଂଚଳକୁ ରାସ୍ତା କିମ୍ବା ରେଳ ଯୋଗାଯୋଗ ନଥିବାରୁ କୃଷି ସାମଗ୍ରୀକୁ ଦେଶ ଏବଂ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ପାଇଁ ସମ୍ଭାବନା କ୍ଷୀଣ।

ମାତ୍ର ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଉଚ୍ଚାଭିଳାଷୀ ଡ୍ରୋନ ପଲିସି ଅଣାଯାଇଛି। ଏହି ପୃଷ୍ଠଭୂମିରେ ଡ୍ରୋନ୍‍ ଟେକ୍ନୋଲୋଜି ଦୁର୍ଗମ ଅଂଚଳରେ ନୂଆ କ୍ରାନ୍ତି ଆଣିପାରିବ। ଜନଜାତି ପ୍ରାଧାନ୍ୟ କୋରାପୁଟ ଭଳି ଅଂଚଳର ଅର୍ଥନୀତିରେ ଏକ ନୂଆ କ୍ରାନ୍ତି ସହ ସ୍ଥାନୀୟ ଉତ୍ପାଦ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ଯୋଗାଇବ। ତେଣୁ ବେସାମରିକ ବିମାନ ଚଳାଚଳ ବିଭାଗ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବରେ ଗ୍ରହଣ କରି ଜୈବିକ ସାମଗ୍ରୀକୁ ବାହାରେ ବିକ୍ରି କରିବା ଏବଂ ସର୍ଭିସ ୟୁଟିଲିଟି ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତିା

Comments are closed.