ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଶନିବାର ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତାକାଲି ସମସ୍ତ ଓଡିଆଙ୍କ ପାଇଁ ଗୌରବର ଦିନ। ଆସନ୍ତାକାଲି ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷର ସ୍ମୃତିର ଶୁଭାରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସ୍ୱାଧୀନତା ସଂଗ୍ରାମ ପରିବାରର ଦାୟଦମାନେ ପ୍ରମୁଖ ଉପସ୍ଥିତ ରହିବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ଶତାବ୍ଦୀର ଓଡିଆ ଜାତିର ଲଢେଇ, ସଂଗ୍ରାମ, ତ୍ୟାଗ ତଥା ବଳିଦାନର କୀର୍ତିଗାଥାର ଏହା ପ୍ରତୀକ ହେବ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଜାଗା ଉପଲବ୍ଧ କରେଇଛନ୍ତି। ବରୁଣେଇ ପାହାଡର ପାଦଦେଶରେ ଯେଉଁଠାରୁ ଓଡିଶାର ପୂର୍ବଜମାନେ ବ୍ରିଟିଶ ଶାସନ ବିରୋଧରେ ଲଢେଇ କରିଥିଲେ ତାର ସ୍ମୃତିର ଏକ ସ୍ମାରକୀ ନିର୍ମାଣ ହେବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅନ୍ୟ ଏକ ପୃଥକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଅନେକ କଳ୍ପନା କରାଯାଇଥିବା ବେଳେ ଗୋଟିଏ ଉଚ୍ଚସ୍ତରୀୟ ସମିତି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କୁ ସଂଶ୍ଲିଷ୍ଟ କରି ଗଠନ କରାଯାଇଛି। ଏହାର କ୍ରିୟାନ୍ୱୟନ ପାଇଁ ଭାରତୀୟ ତୈଳ ମହାସଂଘକୁ ଦାୟିତ୍ୱ ଦିଆଯାଇଛି। ଓଡିଆ ଲୋକଙ୍କ ପରାମର୍ଶରେ ସମସ୍ତଙ୍କର ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ସଭ୍ୟତାର ବୀରଗାଥାକୁ ମନେପକାଇଲା ଭଳି ଏଠାରେ ସ୍ମତିସ୍ଥଳ ତିଆରି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.