ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କୋଷ୍ଟାଲ ହାଇଓ୍ୱେ, କଟକ-ଅନୁଗୋଳ-ସମ୍ବଲପୁର ଏନଏଚ-୫୫ ସମେତ ଅନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ହେଲା ସମୀକ୍ଷା –ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ – ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କଟକ-ସମ୍ବଲପୁର ଭାୟା ଅନୁଗୋଳ ଏନଏଚ-୫୫କୁ ଶୀଘ୍ର ସାରିବା ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ପ୍ରକଳ୍ପର ତ୍ୱରିତ ପଦକ୍ଷେପ ପାଇଁ ସମୀକ୍ଷା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଦୁଇଟି ପୃଥକ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଓଡ଼ିଶାର ପୂର୍ବାଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସଡ଼କ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଦେଇ ଯାଉଥିବା କଟକରୁ ସମ୍ବଲପୁର ନିର୍ମାଣାଧୀନ ଏନଏଚ-୫୫ ଅନେକ ଶିଳ୍ପଭିତ୍ତିକ ସହର, କୃଷି କେନ୍ଦ୍ର ଏବଂ ମହତ୍ୱପୂର୍ଣ୍ଣ ପର‌୍ୟ୍ୟଟନ ସ୍ଥଳୀ ଦେଇ ଯିବ । ଏନଏଚ ୫୫(ପୂର୍ବରୁ ଏନଏଚ ୪୨) ସମ୍ବଲପୁରରୁ କଟକ ସେକ୍ସନ ତିନୋଟି ପ୍ୟାକେଜରେ ବିଭକ୍ତ ରହିଛି ଏବଂ ନିର୍ମାଣ କାର‌୍ୟ୍ୟ ବିଭିନ୍ନ କାରଣରୁ ବିଳମ୍ବିତ ହେଉଛି । ଏହି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ବର୍ଷା ଋତୁ ପୂର୍ବରୁ ଭାବରେ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ ।

Comments are closed.