କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ ନୈତିକତା ?

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଘଟଣା କିମ୍ବା ଦୁର୍ନୀତି ମାମଲାରେ ନୈତିକତା ଆଧାରରେ ଦଳୀୟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିବା ବେଳେ ମମିତା ମେହେର ଭଳି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଥାଇ ମଧ୍ୟ ଚୁପ ରହିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପ୍ରଶ୍ନ କରିଛନ୍ତି।
ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ମମିତା ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ରାଜନୈତିକ ବକ୍ତବ୍ୟ ଅଗଣତାନ୍ତ୍ରିକ ଓ ସମ୍ବେଦନହୀନ। ସେ କହିଛନ୍ତି ଯେ ଲାଲ୍‌ ବାହାଦୂର ଶାସ୍ତ୍ରୀ ରେଳ ଦୁର୍ଘଟଣା ପରେ ନୈତିକତାର ଚାପରେ ଇସ୍ତଫା ଦେଇଥିଲେ। ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ହାୱାଲା ମାମଲାରେ ନୈତିକତା ଦୃଷ୍ଟିରୁ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ। ଭାରତୀୟ ରାଜନୀତିରେ ନୈତିକତା ଓ ମୂଲ୍ୟବୋଧ ଅନେକ ଦଳରେ ଦେଖାଯାଇଛି।
ମୁଖ୍ୟମନ୍ତ୍ରୀ ଅନେକ ଘଟଣାରେ ଦଳର ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦେଶ ଦେଇଥିବା ବେଳେ କଳାହାଣ୍ଡିର ଝିଅ ମମିତାର ମୃତ୍ୟୁ ମାମଲାରେ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଅଭିଯୋଗ ଥାଇ ମଧ୍ୟ ବହିଷ୍କାର କରାଯାଉନାହିଁ। ଏଥିରେ ତାଙ୍କର ନୈତିକତା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ପୀଡ଼ିତା ମମିତାର ବାପା ମା’ଙ୍କୁ ଚାପ ପକାଇ ଉଚ୍ଚ ନ୍ୟାୟାଳୟରେ ପ୍ରାୟୋଜିତ ମାମଲା କରିଛନ୍ତି। ଅଭିଯୋଗଫର୍ଦ୍ଦ ଦାଖଲର ୯୦ ଦିନର ସମୟ ସୀମା ସରି ନଥିବା ଏବଂ ଅଭିଯୋଗ ଫର୍ଦ ଦାଖଲ ହୋଇ ନ ଥିଲା ବେଳେ ତ୍ୱରିତ ଶୁଣାଣି ପାଇଁ ଅଦାଲତରେ ଅାବେଦନ କରାଯିବା ହାସ୍ୟାସ୍ପଦ। ମୁଖ୍ୟମନ୍ତ୍ରୀଙ୍କୁ କେଉଁ କଥା ଡରାଉଛି ବୋଲି ପ୍ରଶ୍ନ କରିବା ସହିତ ୧୬୪ ଧାରା ଅନୁସାରେ ମାଜିଷ୍ଟେଟଙ୍କ ଆଗରେ ପୀଡ଼ିତାର ବାପା-ମା’ଙ୍କ ବୟାନ କାହିଁକି ନିଆଗଲା ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଘଟଣାର ଅନେକ ଦିନ ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଲେ। ପୀଡ଼ିତାର ବାପା ମା’ ଏତଲା ଲେଖିବା ପାଇଁ ଥାନାରୁ ଥାନା ବୁଲିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ମନ୍ତ୍ରୀ ଏ ଘଟଣାରେ ସଂଶ୍ଳିଷ୍ଟ ହୋଇ ନପାରନ୍ତି; କିନ୍ତୁ ଦୀର୍ଘ ୨୦ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ମନ୍ତ୍ରୀଙ୍କୁ ଦୁର୍ନୀତି ଓ ନୈତିକତାର ଦ୍ୱାହି ଦେଇ ଇସ୍ତଫା ଦେବାକୁ ବାଧ୍ୟ କରିଥିବାବେଳେ ସେମାନେ କ’ଣ କାଠଗଡ଼ାରେ ଦୋଷୀ ହୋଇଥିଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେମାନଙ୍କର ନୈତିକତା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଲୋକର ନୈତିକତା କ’ଣ ଭିନ୍ନ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ପଚାରିଛନ୍ତି।
ଶ୍ରୀ ପ୍ରଧାନ ଆହୁରି ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିବାବେଳେ କିଏ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କୁ ଆଠଗଡ଼ ନେଇ ଯାଇଥିଲା ? ଦୁଇ ହଜାର ମସିହାର ନିର୍ବାଚନ ସଭା ଆଠଗଡ଼ରେ କେଉଁ ପ୍ରସଙ୍ଗ ଉପରେ ହୋଇଥିଲା ? ଅଞ୍ଜନା ମିଶ୍ର ପ୍ରସଙ୍ଗରେ ହୋଇଥିଲା ନା ନାହିଁ ? ସେତେବେଳର ପ୍ରଶ୍ନ ଯଦି ସମ୍ବେଦନଶୀଳ ଥିଲା ତେବେ ଆଜି ଓଡ଼ିଆ ଝିଅର ଇଜ୍ଜତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଲେ ତାହାକୁ ହୀନ ରାଜନୀତି କିଭଳି କୁହାଯିବ ? ଅହଙ୍କାର ରାବଣର ବି ଥିଲା ଦୁ‌େ‌ର୍ଯ୍ୟାଧନର ବି ଥିଲା, ଆପଣଙ୍କର ବି ଅଛି। ଏଥିରେ ଅସହମତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ପ୍ରଣବ ପ୍ରକାଶଙ୍କ ଆହ୍ବାନ, ପ୍ରମାଣ ଦିଅ, ମନ୍ତ୍ରୀଙ୍କୁ ଜେଲ ପଠାଇବେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଙ୍ଗୁଳି ଉଠାଇବା ପରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାର ପାଲଟା ଜବାବ ଦେଇଛନ୍ତି।
ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଟୁଇଟ୍‌ ମାଧ୍ୟମରେ ପାଲଟା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଗୃହ ରା‌ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡି ଚଢ଼ାଇ ନିରୀହ ଚାଷୀଙ୍କୁ ମାରିବା ବେଳେ ଧର୍ମେନ୍ଦ୍ରଙ୍କର ନୈତିକତା କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି? ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ତାଙ୍କ ନାମରେ ମକଦ୍ଦମା ରୁଜୁ କରାଗଲା। ହେଲେ ତା’ ପୂର୍ବରୁ ଆପଣ ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼ାଇଥାନ୍ତେ ଭଲ ହୋଇଥାନ୍ତା ବୋଲି ଶ୍ରୀ ଦାସ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି।

ଟୁଇଟ ଜରିଆରେ ସେ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ଅତୀତରେ ଯେତେବେଳେ ପ୍ରଭାବଶାଳୀ ବ୍ୟକ୍ତି ବା ରାଜନେତାଙ୍କ ବିରୋଧରେ ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀ ସେକ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଏବେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ରାଜ୍ୟବାସୀ ଜାଣିଛନ୍ତି। ଯଦି ଦମ୍ ଅଛି, ତେବେ ପୁଲିସ କିମ୍ବା ଉଚ୍ଚ ନ୍ୟାୟାଳୟକୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବଳିଷ୍ଠ ପ୍ରମାଣ ଦିଅନ୍ତୁ, ତେବେ ଇସ୍ତଫା କ’ଣ; ଏହି ପ୍ରସଙ୍ଗରେ ସଂପୃକ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଜେଲରେ ଭର୍ତ୍ତି କରିଦେବେ ବୋଲି ଶ୍ରୀ ଦାସ ଖୋଲା ଆହ୍ବାନ ଦେଇଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ରେଳ ଦୁର୍ଘଟଣାରେ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ବିଜେପି ସରକାର ଅମଳରେ ଅନେକ ରେଳ ଦୁର୍ଘଟଣା ଘଟିବା ସହିତ ବହୁ ନିରୀହ ପ୍ରାଣ ହରାଇଛନ୍ତି।
ଏହି ପ୍ରସଙ୍ଗରେ ଆପଣଙ୍କର କେତେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ତା’ର ହିସାବ ଦିଅନ୍ତୁ। ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ ସେଥିପାଇଁ କିଏ ଦାୟୀ ରହିବ ? ଏକ୍ଷେତ୍ରରେ ଆପଣଙ୍କ ନୈତିକତା କେଉଁଠି ଥିଲା ବୋଲି ପ୍ରଣବପ୍ରକାଶ ପାଲଟା ପ୍ରଶ୍ନ କରିଛନ୍ତି।

Comments are closed.