ବିଜେପି ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜେ.ପି. ନଡ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରୀପଦ ପାଇପାରନ୍ତି। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ଦଳର ପ୍ରଭାବୀ ପ୍ରଦର୍ଶନ ଏବଂ ଏବେ ଲୋକସଭା ନିର୍ବାଚନରେ ସଫଳତାର ଶ୍ରେୟ ଅଧ୍ୟକ୍ଷ ହିସାବରେ ଅମିତ ଶାହଙ୍କୁ ମିଳୁଛି। ତେଣୁ ଅମିତଙ୍କୁ ପୁରସ୍କୃତ କରିବା ଲାଗି ମୋଦୀ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦେବାର ସମ୍ଭାବନା ରହିଛି। ଏହା ହେଲେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ ପଦ କିଏ ସମ୍ଭାଳିବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଏହି ପଦରେ ଦୁଇ ନେତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେମାନେ ହେଉଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ.ପି. ନଡ୍ଡା।

ଆସନ୍ତା ଗୁରୁବାର ରାଷ୍ଟ୍ରପତି ଭବନରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମୋଦୀ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ଦେଇଛନ୍ତି ତାହା ସ୍ପଷ୍ଟ ହେବ। ଏହା ବି ଜଣାପଡ଼ିଯିବ ଯେ ମୋଦୀ କ୍ୟାବିନେଟରେ ଅମିତ ଶାହଙ୍କୁ ସ୍ଥାନ ଦେଇଛନ୍ତି କି ନାହିଁ। ଯଦି ଅମିତ ଶାହଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳେ, ତେବେ ବିଜେପିର ଅଧ୍ୟକ୍ଷ ପଦବୀ ଖାଲିପଡ଼ିବ।

ତେଣୁ ବିଜେପିର ଅଧ୍ୟକ୍ଷ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚାରେ ସବୁଠାରୁ ଆଗରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ବିଜୟ ପରେ ଦଳର ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ରାଜନାଥ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ମଞ୍ଚରେ ଉପସ୍ଥିତ ଥିଲେ।

ଅନ୍ୟପଟେ ଅମିତ ଶାହଙ୍କ ବିକଳ୍ପ ବାଛିବା କଷ୍ଟକର ହେବ ବୋଲି ଦଳ ଭିତରେ ଆଲୋଚନା ହେଉଛି। ଗତବର୍ଷ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନକୁ ବାଦ୍‌ ଦେଲେ ଅନ୍ୟ ସବୁ ନିର୍ବାଚନରେ ବିଜେପି ସଫଳତା ପୂର୍ବକ ବିଜୟ ହାସଲ କରିଛି। ତେଣୁ ଅମିତ ଶାହଙ୍କ ସ୍ଥାନରେ ଜଣେ ପ୍ରଭାବୀ ନେତା ଜରୁରୀ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ସମ୍ପୃକ୍ତ ନେତାଙ୍କ କହିବା ଅନୁସାରେ, ଅମିତ ଶାହ ଦଳକୁ ଯେପରି ଶୀର୍ଷରେ ପହଞ୍ଚାଇଛନ୍ତି ତାହା ଅନ୍ୟ ନେତାମାନଙ୍କ ପାଇଁ କଷ୍ଟକର ହେବ। ଅଧ୍ୟକ୍ଷ ପଦର ଦାୟିତ୍ଵ ସେମାନଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ହେବ।

ବତ୍ତର୍ମାନ ଦୁଇ ଦାବିଦାର ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ.ପି. ନଡ୍ଡା ନିଜ କାର୍ଯ୍ୟରେ ମଧ୍ୟ ବେଶ୍‌ ସଫଳତା ହାସଲ କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଉଜ୍ଜ୍ଵଳା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାବେଳେ ନଡ୍ଡା ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରି ଚର୍ଚ୍ଚାକୁ ଆସିଛନ୍ତି। ଧର୍ମେନ୍ଦ୍ର ଉଜ୍ଜ୍ଵଳା ଯୋଜନା ଜରିଆରେ ଗାଁ ଗାଁରେ ରୋଷେଇ ଘରେ ରନ୍ଧନ ଗ୍ୟାସ ସଂଯୋଗ ଦେଇଛନ୍ତି। ଫଳରେ ଗ୍ରାମାଞ୍ଚଳରେ ରୋଷେଇ ଘରଗୁଡ଼ିକ ଧୂଆଁମୁକ୍ତ ହେବା ସହ ମହିଳାମାନଙ୍କୁ ବିଶେଷ ଲାଭ ମିଳିଛି।

ଅନ୍ୟପଟେ ଜେ.ପି. ନଡ୍ଡା ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ଏହା ବିଶ୍ଵର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଏହି ଯୋଜନାରେ ଗରିବ ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରୁଛି। ବିଜେପି ସରକାର ନିଜ ଯୋଜନାଗୁଡ଼ିକ ମଧ୍ୟରୁ ଏହି ଦୁଇଟି ଯୋଜନାକୁ କ୍ରାନ୍ତିକାରୀ ଯୋଜନା ବୋଲି କହୁଛି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ ଅଧ୍ୟକ୍ଷ ପଦବୀ ପାଇଁ ଜେ. ପି. ନଡ୍ଡାଙ୍କ ସ୍ଥିତି ମଜଭୁତ ଥିବା କୁହାଯାଉଛି।

Comments are closed.