ମାଓବାଦୀ ନାଁ ରେ ଚାନ୍ଦା ଆଦାୟ କରୁଥିବା ୩ ନକଲି ମାଓବାଦୀଙ୍କୁ ଗିରଫ କଲା ପୁଲିସ

ଧର୍ମଗଡ଼/ମୁଖିଗୁଡା : ନିଜକୁ ମାଓବାଦୀ କହି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜୟପାଟଣା ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ୩ ଜଣ ମାଓବାଦୀଙ୍କ ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗୁଥିଲେ । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି ।

ଗିରଫ ଯୁବକମାନେ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ପୁଝାରିଗୁଡା ଗାଁ ର ଦେବପ୍ରସାଦ ନାୟକ ଓ କୋକସରା ଥାନା ଅନ୍ତର୍ଗତ ଧନସରା ଗାଁ ର ଚନ୍ଦ୍ର ରାଉତ ଓ ଗତାବନ୍ଧ ଗାଁ ର ଗଙ୍ଗାରାମ ବେମାଲ । ମିଳିଥିବା ସୁଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ପୁଝାରିଗୁଡା ଗାଁ ର ତୁଳସୀରାମ ନାଏକ ନାମକ ଜନୈକ ବ୍ୟବସାୟୀଙ୍କୁ ଏହି ତିନି ଜଣ ଯୁବକ ମାଓବାଦୀ ବୋଲି ପରିଚୟ ଦେଇ ବିଭିନ୍ନ ସମୟରେ ଫୋନରେ ଧମକଚମକ କରିବା ସହ ଟଙ୍କା ମାଗୁଥିଲେ । ଭୟଭୀତ ହୋଇ ବ୍ୟବସାୟୀ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ପ୍ରଥମ କିସ୍ତିରେ ବ୍ୟବସାୟୀ ଜଣକ ୭୦ ହଜାର ଟଙ୍କା ଦେଇଥିଲେ । ବାକି ଟଙ୍କା ପାଇଁ ବାରମ୍ବାର ଫୋନ କରିବା ପରେ ସେ ପୋଲିସର ସାହାଯ୍ୟ ନେଇଥିଲେ । ଖବର ପାଇ ଜୟପାଟଣା ପୋଲିସ ଏମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Comments are closed.