ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

ବର୍ଷା ହେଲେ ତିନୋଟି ଶ୍ରେଣୀରେ ବସୁଛନ୍ତି ୮ଟି ଶ୍ରେଣୀର ୧୮୨ ଜଣ ଛାତ୍ରଛାତ୍ରୀ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖମାପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗୁରୁବାର ମଧ୍ୟାହ୍ନ ସମୟରେ ସ୍କୁଲର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଥାଉ କି, ବହୁଦିନ ପୂର୍ବରୁ ବାରମ୍ବାର ସ୍କୁଲର ଅସୁବିଧା ବିଷୟରେ ଅଭିଯୋଗ କରିଥିଲେ ଏବଂ ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ପ୍ରକାଶ ପାଇଥିଲା। ତଥାପି ଏହାର କିଛି ସମାଧାନ ନହେବାରୁ ଆଜି ସ୍କୁଲର ଛାତ୍ରଛାତ୍ରୀ ଓ ଅବିଭାବକମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ, ଏହି ଵିଦ୍ୟାଳୟରେ ୧୮୨ ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ସେଥି ମଧ୍ୟରୁ ୮୬ ଜଣ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସମସ୍ତେ ଗୋଟିଏ ଶ୍ରେଣୀ ଗୃହରେ ବସୁଛନ୍ତି । ୨୦୧୧-୧୨ ରୁ ଏହି ବିଦ୍ୟାଳୟକୁ ହାଇସ୍କୁଲ ର ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ସ୍କୁଲକୁ ସରକାରଙ୍କ ତରଫରୁ ଗୋଟିଏ ହେଲେ ମଧ୍ୟ ଶ୍ରେଣୀ ଗୃହ ପ୍ରଦାନ କରାଯାଇନାହିଁ । ଯେଉଁ ତିନୋଟି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ସେହି ଶ୍ରେଣୀ ଗୃହ ବର୍ଷା ହେଲେ ପାଣି ରେ ଭର୍ତ୍ତି ହେଇଯାଉଛି । ଗତ କିଛିଦିନ ତଳେ ପଦ୍ମପୁର ବ୍ଲକ ଅଧିନସ୍ଥ ବିଚିକୋଟ ସ୍କୁଲ ଗେଟ ପଡି ଛାତ୍ରୀ ମୃତ୍ୟୁ ଘଟଣାକୁ ଦୃଷ୍ଟିରେ ରଖି ସେହି ଅସୁରକ୍ଷିତ ଶ୍ରେଣୀ ଗୃହରେ ବସିବା ପାଇଁ ପଦ୍ମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀଙ୍କୁ ମନା କରିଦେଇଥିଲେ । ତେଣୁ ପ୍ରଥମରୁ ଦଶମ ଶ୍ରେଣୀର ୧୮୨ ଜଣ ଛାତ୍ରଛାତ୍ରୀ ଗୋଟିଏ ଗୃହରେ ବସିଥିବାରୁ ପାଠପଢାରେ ବ୍ୟାଘାତ ହୋଇଥିବାର ନଜରରେ ରଖି ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ମାୟାଧର ଶବର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଖମାପଦର ଗ୍ରାମର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଥିଲେ। ବିଡ଼ିଓ, ନଥିବାରୁ ଘଟଣା ସ୍ଥଳେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା ଏବଂ ବିଡ଼ିଓ ଆସିଲେ କଥା ବାର୍ତ୍ତା କରାଯିବ ବୋଲି କହିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ ।

Comments are closed.