ମଞ୍ଚରୁ ପଡ଼ି କଂସ ମଲା : ଧନୁଯାତ୍ରା ଶେଷ ହେଲା

ମଥୁରାନଗରୀ : ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଶ୍ରୀକୃଷ୍ଣଙ୍କୁ ଜୀବନର ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥନା କରିବା ପରେ ମଞ୍ଚରୁ ପଡ଼ି ପ୍ରାଣତ୍ୟାଗ କରିଛନ୍ତି ପ୍ରବଳ ପ୍ରତାପୀ ମହାରାଜ କଂସ। ଏହାପରେ ଧର୍ମର ଜୟ ଓ ପାପର କ୍ଷୟ ବାର୍ତ୍ତା ଦେବା ସହ କଂସର ନିଧନ ପରେ ୭୧ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି। ମହୋତ୍ସବର ଅନ୍ତିମ ଦିବସରେ କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ, ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ କୃଷ୍ଣ-ବଳରାମଙ୍କ ସ୍ୱାଗତୋତ୍ସବ, କୁବଳୟା ହସ୍ତୀ ବଧ, ଅଷ୍ଟମଲ୍ଲ ବଧ, ଶିବ ଧନୁ ଭଙ୍ଗ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା। ସେହିପରି ମହାରାଜା କଂସ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ମଞ୍ଚାରୁ ଖସି ପଡ଼ି ମରି ଯାଇଥିବା ଦୃଶ୍ୟ ବେଶ୍‌ ଚିତାକର୍ଷକ ହୋଇଥିଲା। ପରେ ଉଗ୍ରସେନଙ୍କୁ ମଥୁରା ସିଂହାସନରେ ଅଭିଷିକ୍ତ କରାଯିବା ସହ ତଳିପଡ଼ାସ୍ଥିତ କାରାଗାରାରେ ବନ୍ଦୀ ଦେବକୀ-ବସୁଦେବଙ୍କୁ କୃଷ୍ଣ-ବଳରାମ ମୁକ୍ତ କରିଥିଲେ। ଅପରପକ୍ଷେ କଂସର ଅତ୍ୟାଚାରରେ ଅତିଷ୍ଠ ମଥୁରାବାସୀ ଖୁସିରେ ‘କଂସ ରାଜାର୍‌ ବଂଶ୍‌ ବୁଡୁ, କଂସ୍‌ ମଲେ୍‌ ଖାଏଁମା୍‌ ଲଡୁ’ କହି ଉତ୍ସବ ପାଳନ କରିଥିଲେ।
କୃଷ୍ଣ ବଳରାମଙ୍କୁ ସମ୍ମୁଖୀନ ହେବା ପାଇଁ କଂସ ନିଜର ବ୍ୟୁହ ରଚନା କରି ରାଜ ପ୍ରସାଦର ବିଭିନ୍ନ ଦ୍ୱାରଦେଶରେ ସୈନ୍ୟ ସାମନ୍ତ ସହିତ ବଡ଼ ବଡ଼ ବୀର ଏବଂ କୁବଳୟା ହସ୍ତୀକୁ ମୁତୟନ କରିଥିଲେ। ଏକ ବିରାଟ କାୟ ଶିବଧନୁକୁ ଏକ ସୁସଜ୍ଜିତ ମଣ୍ଡପରେ ରଖାଯାଇଥିଲା। ବେନିଭାଇ ରାଜ ଦରବାରକୁ ପ୍ରବେଶ କରିବା ପାଇଁ କୁବଲୟା ହସ୍ତୀକୁ ନିଧନ କରିଥିଲେ। ତା’ ପରେ ବିଭିନ୍ନ ମଲ୍ଳମାନଙ୍କୁ ହତ୍ୟା କରିବା ପରେ ବିଚଳିତ ମହାରାଜା କଂସ ଶକ୍ତିହୀନ ହୋଇପଡିଥିଲେ। ମହାମନ୍ତ୍ରୀ ଶକ୍ରାଜିତ ନିଜେ ଭଗବାନଙ୍କ ଶରଣାଗତ ହେବାରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମହାରାଜା କଂସ। ତତ୍‌କ୍ଷଣାତ ବେନିଭାଇ କୃଷ୍ଣ-ବଲରାମଙ୍କୁ ସମ୍ମୁଖରେ ଦେଖି ନିଜର ଭାରସାମ୍ୟ ରକ୍ଷା କରି ନ ପାରି ମଞ୍ଚରୁ ଖସି ପଡ଼ିଥିଲେ। ଏହା ସହ ପ୍ରବଳପ୍ରତାପୀ କଂସ ମହାରାଜାଙ୍କ ନିଧନ ହୋଇଥିଲା। ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କ ଅଭିନୟ ବେଶ୍‌ ଉଚ୍ଚକୋଟୀର ଥିଲା। ବିଭିନ୍ନ ଦିନରେ ଲକ୍ଷାଧିକ ଜନସମାଗମ ଯାତ୍ରାର ପ୍ରସିଦ୍ଧିକୁ ବହୁଗୁଣିତ କରିଥିଲା। ଏ ବର୍ଷ ୟୁଗୋସ୍ଲୋଭିଆ, ଆମେରିକା, ଜର୍ମାନୀ, ବାଙ୍ଗଲାଦେଶ ଆଦି ଦେଶରୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଆଗ୍ରହ ଏହାର ମାନ ବୃଦ୍ଧି କରିଛି।

Comments are closed.