ଆଜି ଧନୁ ସଂକ୍ରାନ୍ତି

ପୌଷ ମାସର ପ୍ରଥମ ଦିନକୁ ସୂର୍ଯ୍ୟ ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଧନୁରାଶିରେ ପ୍ରବେଶ କରି ଏକ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଏହି ପରିବର୍ତ୍ତନ ଯୋଗୁ ଋତୁଚକ୍ରରେ ଭିନ୍ନତା ପରିଲକ୍ଷିତ ହୁଏ। ଧନୁ ସଂକ୍ରାନ୍ତି ପରଠାରୁ ଶୀତ ଅଧିକ ହୋଇଥାଏ।

ଧନୁ ସଂକ୍ରାନ୍ତିକୁ ଧନୁ ସଂକ୍ରମଣ ମଧ୍ୟ କୁହାଯାଏ। ଦେବଗୁରୁ ବୃହସ୍ପତିଙ୍କ ରାଶି ହେଉଛି ଧନୁ। ତେଣୁ ବୃହସ୍ପତି ଓ ସୂର୍ଯ୍ୟଙ୍କ ସଂଯୋଗ ହେତୁ ଏହାକୁ ଖରମାସ ବୋଲି କୁହାଯାଏ। କୌଣସି ମାଙ୍ଗଳିକ କାର୍ଯ୍ୟ ଏହି ମାସରେ ହୁଏ ନାହିଁ। ଏହାର ଅବଧି ଜାନୁୟାରୀ ମାସ ୧୪ ତାରିଖ ପର୍ଯ୍ୟନ୍ତ ରହିଥାଏ। ଜାନୁୟାରୀ ୧୪ ତାରିଖ ପରେ ଶୁଭକାର୍ଯ୍ୟ ଆରମ୍ଭ ହୁଏ। ଧନୁ ସଂକ୍ରାନ୍ତିଠାରୁ ଶ୍ରୀ ମନ୍ଦିରରେ ପହିଲି ଭୋଗ ହୁଏ। ଖଇରେ ମୁଆଁ ପ୍ରସ୍ତୁତ କରି ଭୋଗ କରାଯାଏ। ଏହି ମୁଆଁକୁ ଧନୁମୁଆଁ ବୋଲି କୁହାଯାଏ। ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଏହି ମାସରେ ଆରମ୍ଭ ହୋଇଥାଏ କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରାକୁ ବନ୍ଦ ରଖାଯାଇଛି।

Comments are closed.