ପିପିଳିଆ ଧାନମଣ୍ଡି ଘେରିଲେ ଚାଷୀ

ପାଟଣା: ଢେଙ୍କିକୋଟ ଲ୍ୟାମ୍ପସ ଅଧିନ ପିପିଳିଆ ଶାଖାରେ ଆଜି ଚାଷୀ ଅସନ୍ତୋଷ ଦେଖା ଦେଇଥିଲା । ଚାଷୀମାନେ ଲ୍ୟାମ୍ପସ ଶାଖା କାର୍ୟ୍ୟାଳୟକୁ ଘେରିବା ପରେ ଲ୍ୟାମ୍ପସ ଏମଡି ଅକ୍ଷୟ ମହାନ୍ତଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ଏହି ଚାଷୀମାନେ କେନ୍ଦୁଝର ଯାଇ ଏ.ଆର.ସି.ଏସ ଅଜୟ ସେଠୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି । ପିପିଳିଆ ଅଂଚଳର ୩୫ ଜଣ ଚାଷୀ ଜାନୁଆରୀ ୬ ରୁ ଟୋକନ ପାଇଥିଲେ ଓ ସେମାନେ ପିପିଳିଆରେ ଧାନ ଆଣି ଜମା କରିଥିବା ବେଳେ ଧାନକିଣା ପାଇଁ ଏଲଟମେଣ୍ଟ ନ ଥିବାରୁ ଲ୍ୟାମ୍ପସ ଧାନ କିଣି ନ ଥିଲା । ଗତ ୬ ତାରିଖ ଏହି ୩୫ ଜଣ ଚାଷୀଙ୍କର ଟୋକନ ଲାପ୍ସ ହୋଇଯାଇଥିଲା । ତେବେ ଆଜି ଧାନକିଣା ଆରମ୍ଭ ହୋଇଥିବା ବେଳେ ଟୋକନ ଲାପ୍ସ କରିଥିବା ଚାଷୀମାନେ ଏହାର ପ୍ରତିବାଦ କରିଥିଲେ । ଲ୍ୟାମ୍ପସ ଏମ.ଡି ଅକ୍ଷୟ ମହାନ୍ତଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ଫେବୃୟାରୀ ୧୧ ପର୍ୟ୍ୟନ୍ତ ଅବଧି ଥିବା ଟୋକନ ପାଇଥିବା ଚାଷୀଙ୍କ ଠାରୁ ଆଜି ଧାନକିଣା ଯାଉଥିବା ସୂଚନା ଦେଇଛନ୍ତି । ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇଙ୍କ ନେତୃତ୍ୱ ଚାଷୀ ସର୍ବଶ୍ରୀ ଲକ୍ଷ୍ମୀଧର ଦାସ, ରଂଜନ କୁମାର ସାହୁ, ଗୋପବନ୍ଧୁ ମହାନ୍ତ, ବିପିନି ବିହାରୀ ସାହୁ, ହରିହର ସାହୁ, ଲକ୍ଷ୍ମୀଧର ମହାନ୍ତ, ହରିହର ସାହୁ, ଦୀପକ ମହାନ୍ତ, ଭୋଳାନାଥ ନାଏକ, ଗୋବିନ୍ଦ ମହାନ୍ତ ପ୍ରମୁଖ ପିପିଳିଆ ଲ୍ୟାମ୍ପସ ଘେରାଉରେ ସାମିଲ ହେବା ସହ ସେମାନଙ୍କୁ ପୁନର୍ବାର ଟୋକନ ଦିଆ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

Comments are closed.