ଧାମନଗର ସୀମାନ୍ତ ବୈତରଣୀ ନଦୀରେ ପ୍ରଥମ ବନ୍ୟା

ଦୋବଲ :  ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଧାମନଗର ସୀମାନ୍ତ ଦେଇ ପ୍ରଭାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ବାଟ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଜୋନର କିଛି ଅଂଶ ଜଳମଗ୍ନ ହୋଇଛି । ରବିବାର ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ଥିବା ମଲ୍ଲିମାହାରା ଏସକେପରେ ପାଣି ପଶି ତଳ ଆନନ୍ଦପୁର, ନଡ଼ିଆବାଗ ଅଞ୍ଚଳ ଜଳମଗ୍ନ ହୋଇଛି । ସେହିପରି ଗୌରାଙ୍ଗପୁର ଏସକେପ୍ ବାଟେ ବନ୍ୟା ଜଳ ପ୍ରବେଶ କରିବାରୁ ସୋହଡ଼ା, କରଦା ଓ ପଧାନି ପଞ୍ଚାୟତର କିଛି ଅଂଶ ଜଳମଗ୍ନ ହୋଇଛି । ବିଶେଷ କରି ଖଡ଼ିପଦାର କାଞ୍ଜିଆପାଳ, ବେଦପୁର, ସୋହଡ଼ାର ମିଶ୍ରପୁର, ପିତେଇପୁର, ବାଲିପଡ଼ା ଓ କରଦା ପଞ୍ଚାୟତର ସାପୁଆପାଟଣା ଭାର୍ଦା କଟକ ଅଞ୍ଚଳରେ ପାଣି ପଶିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି। ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ି ଯାଇଛି ।
ତେବେ ସଂଧ୍ୟା ୫ଟା ସୁଦ୍ଧା ଆଖୁଆପଦାଠାରେ ଜଳ ପତ୍ତନ ହ୍ରାସ ପାଇ ବିପଦ ସଂକେତ ସ୍ତରରୁ ସାମାନ୍ୟ ଉପରେ ରହିଛି । ଏଠାରେ ବିପଦ ସଂକେତ ସ୍ତର ୧୭.୮୬ ମିଟର ଥିବାବେଳେ ସଂଧ୍ୟା ୫ଟା ସୁଦ୍ଧା ଜଳ ପତ୍ତନ ୧୭.୯୬ରେ ପ୍ରବାହିତ ହେଉଥିଲା । ଉପର ମୁଣ୍ଡରେ ବର୍ଷା ପରିମାଣ ବଢିବାରୁ ବୈତରଣୀରେ ଆହୁରି ଅଧିକ ପାଣି ହେବାନେଇ ସୂଚନା ମିଳିଛି । ବନ୍ୟା ମୁକାବିଲା ଲାଗି ଧାମନଗର ବ୍ଲକ, ତହସିଲ ଓ ଅଗ୍ନିଶମ ପ୍ରଶାସନ ପ୍ରସ୍ତୁତି ରହିବା ସହ ସମସ୍ତଙ୍କ ଛୁଟି ବାତିଲ କରାଯାଇଛି । ରବିବାର ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରାଯାଇଛି । ଏଥିରେ ସମସ୍ତ ବିଭାଗର ଅଧିକାରୀ ଓ ପ୍ରତିନିଧି ଯୋଗଦେଇ ବନ୍ୟା ମୁକାବିଲା ସଂପର୍କରେ ଆଲୋଚନା କରିଥିଲେ। ବନ୍ୟାକୁ ଆଖି ଆଗରେ ରଖି ଆନନ୍ଦପୁର, ସୋହଡ଼ା, ପଧାନି, କରଦା ଓ ଖଡ଼ିପଦା ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀଙ୍କୁ ସଜାଗ ରହିବା ଲାଗି ବ୍ଲକ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏହି ସବୁ ପଞ୍ଚାୟତରେ ଥିବା ସ୍କୁଲ ଘରକୁ ଆବଶ୍ୟକସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବା ଲାଗି କୁହାଯାଇଛି । ଏହାସହ ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ତା ଛଡ଼ା ବ୍ଲକ ଓ ତହସିଲ ଅଫିସ ପକ୍ଷରୁ ଗୋଟିଏ ଗୋଟିଏ ରାପିଡ୍ ଆକ୍ସନ ଟିମ୍ ଗଠନ କରାଯାଇଛି ଓ ବନ୍ୟା ମୁକାବିଲା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ହ୍ବାଟସଆପ୍ ଗ୍ରୁପ କରାଯାଇଛି । କୌଣସି ପରିସ୍ଥିତି ଉପୁଜିଲେ ହ୍ବାଟସଆପରେ ଜଣାଇବା ଲାଗି ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ କହିଛନ୍ତି। ବନ୍ୟା ଜଳ ବଢ଼ିଲେ କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେବା ଆଶଙ୍କା ଥିବାରୁ ଜରୁରୀକାଳୀନ ସେବା ଯୋଗାଇବା ଲାଗି ଗେଙ୍ଗୁଟି ନଦୀର ବିଭିନ୍ନ ଘାଟରେ ବୋଟ୍ ପ୍ରସ୍ତୁତ କରାଯାଇ ରଖାଯାଇଛି ବୋଲି ବିଡିଓ କହିଛନ୍ତି।

ତେବେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବାରୁ ଧାମନଗର ବ୍ଲକର ୨୮ଟି ପଞ୍ଚାୟତ ଅଧିନ ୯୭ଟି ରାଜସ୍ବ ଗ୍ରାମରେ ୧୮୫୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ଅଧିକାଂଶ ଜମିରେ ତଳି ନଷ୍ଟ ହୋଇଛି ବୋଲି ଧାମନଗର କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଭାସ୍କର ଦାସ କହିଛନ୍ତି। ତେବେ ପ୍ରକୃତ କ୍ଷୟକ୍ଷତି ଆକଳନ ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ପଧାନୀ ପଂଚାୟତ କଣ୍ଟାଦା ଗ୍ରାମର ପଣ୍ଡା ସାହି ରୁ ଭୂୟାଁ ସାହି ପର୍ଯ୍ୟନ୍ତ ଗେଙ୍ଗୁଟି ନଦୀର ୧୦୦ ଫୁଟ ନୂତନ ପଥର  ପ୍ୟାକିଙ୍ଗ ଧସିବା ଅବସ୍ଥାରେ ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଆଛନ୍ତି । ସେହିପରି ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମହାନ୍ତି ସାହି କରଦା ପୋଲ ପାଖରେ ମଧ୍ୟ ପୂର୍ବରୁ ଧସିଥିବା ଗେଙ୍ଗୁଟି ନଦୀର ବନ୍ଦ ଓ ପଥର ପେକିଙ୍ଗକୁ ଜଳସମ୍ପଦ ବିଭାଗ ଜରିପାଲ ଘଉଡ଼ାଇ ରଖିଥିବା ଦେଖିବାକୁ ମିଳିଛି।

Comments are closed.