ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ସେତୁ କାର୍ଯ୍ୟ ଶେଷ ନେଇ ଅନିଶ୍ଚିତତା

ଠିକା ସଂସ୍ଥାର ମର୍ଜିରେ ଚାଲୁଛି ନିର୍ମାଣ କାର୍ଯ୍ୟ

ବୌଦ୍ଧ  : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡମ୍ବା ଗୋପୀନାଥପୁରଠାରେ ମହାନଦୀରେ ଦୀର୍ଘତମ ସେତୁର ଉଦଘାଟନ କରିବାପରେ ବୌଦ୍ଧଜିଲାର ହରଭଙ୍ଗା ବ୍ଲକରେ ମହାନଦୀ ଉପରେ ବହୁ ପ୍ରତିକ୍ଷିତ ଅନ୍ୟତମ ଦୀର୍ଘତମ ସେତୁ (୩ କିମିରୁ ଅଧିକ) ଧଳପୁର- ଆଠମଲ୍ଲିକ ସେତୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁ ରହିଥିବାରୁ ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଅପାରଗତା ଓ ଠିକାସଂସ୍ଥା ନିଜ ମର୍ଜିରେ କାମ କରୁଥିବାରୁ ସେତୁ କାର୍ଯ୍ୟ ସରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସେତୁର ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହେବାର ଅବଧି ଶେଷ ହୋଇ ସାରିଥିବାବେଳେ କାର୍ଯ୍ୟର ଅବଧି ବଢାଇ ସଂସ୍ଥା ପକ୍ଷରୁ କାମ ଚାଲୁ ରହିଛି। ହାନଦୀରେ ଡଙ୍ଗା ସାହାଯ୍ୟରେ ବିପଦପୂର୍ଣ୍ଣ ଭାବରେ ଲୋକମାନେ ଯିବା ଆସିବା କରିବା ସମୟରେ ବିଭିନ୍ନ ସମୟରେ ଡଙ୍ଗା ବୁଡି ଘଟଣାମାନ ଘଟୁଛି। ଯଦି ଠିକ ସମୟରେ ଏହି ସେତୁ କାର୍ଯ୍ୟ ଶେଷ ହୋଇପାରିଥାନ୍ତା ତାହାହେଲେ ଡଙ୍ଗା ବୁଡି ଘଟଣା ଦେଖିବାକୁ ମିଳନ୍ତା ନାହିଁ ଏବଂ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରୁହନ୍ତା ।

ଦକ୍ଷିଣ ଓଡିଶା ସହିତ ଉତ୍ତର ଓଡିଶା ମଧ୍ୟରେ ଗମନା ଗମନର ସୁବିଧା ପାଇଁ ମହାନଦୀ ଉପରେ ବୌଦ୍ଧଜିଲା ଧଳପୁର ଓ ଅନୁଗୁଳ ଜିଲାର ଆଠମଲ୍ଲିକ ମଧ୍ୟରେ ଏକ ସେତୁର ଆବଶ୍ୟକତାକୁ ଦେଖି ସରକାର ୨୦୧୫ ମସିହାରେ ଧଳପୁର- ଆଠମଲ୍ଲିକ ସେତୁର ଶିଳାନ୍ୟାସ କରିଥିଲେ। ହେଲେ ଏହା ଭିତରେ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ଯାହାଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତିନି କିଲୋମିଟରରୁ ଅଧିକ ଦୀର୍ଘ ଏହି ସେତୁର କାର୍ଯ୍ୟକୁ ଗୁଜୁରାଟର ଏକ ଠିକାସଂସ୍ଥାକୁ ୧୬୮ କୋଟି ଟଙ୍କା ଅଟକଳରେ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା। ୨୦୧୯ ମସିହା ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ସମାପ୍ତ କରିବା ପାଇଁ ସମୟ ଦିଆଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ସମୟ ସମୟ ସୀମା ଦୁଇବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଠିକା ସଂସ୍ଥାର ମର୍ଜିରେ ଚାଲିଥିବା ଏହି ସେତୁ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସଂପୁର୍ଣ୍ଣ ହୋଇପାରିନାହିଁ । ମିଳିଥିବା ସୂଚନା ମୁତାବକ ଏହି ସେତୁକାର୍ଯ୍ୟ ପୁର୍ତ୍ତ ବିଭାଗ ଅଧିନରେ ଚାଲୁ ରହିଥିବାବେଳେ ଏହାର ସମସ୍ତ ତଦାରଖ କାର୍ଯ୍ୟ ଅନ୍ୟ ଏକ ସଂସ୍ଥା କରୁଛି । ଯାହାଫଳରେ ଠିକା ସଂସ୍ଥା ପୂର୍ତ୍ତ ବିଭାଗ ନିୟନ୍ତ୍ରଣ ବାହାରେ ରହିଛି । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ଉପରେ ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣ ସଂପୁର୍ଣ୍ଣ ହେଲେ ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ କରିବା ସହ ଦୂରତା ହ୍ରାସ ପାଇବ । ଗମନାଗମନର ସର୍ବନିମ୍ନ ବ୍ୟବଧାନକୁ ଆଖି ଆଗରେ ରଖି ଅଂଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ସେତୁ ଦ୍ୱାରା ବୌଦ୍ଧ ଏବଂ ଅନୁଗୋଳ ଜିଲ୍ଲାର ଜନସାଧାରଣଙ୍କ ଗମନାଗମନ ଓ ପରିବହନ କ୍ଷେତ୍ରରେ ବିଶେଷ ସୁବିଧା ହୋଇ ପାରିବ। ଅଂଚଳର ପରିସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନିତି ଓ ଗମନାମଗନ , ପରିବହନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନିତ କରାଗଲେ ବହୁ ଦିନରୁ ପ୍ରତୀକ୍ଷା କରିଥିବା ଉଭୟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇ ପାରିବେ । ତେଣୁ ଜିଲାରେ ଗମନାଗମନ କ୍ଷେତ୍ରରେ ଏଭଳି ଏକ ଗୁରୁତ୍ୱ ବହନ କରୁଥିବା ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

Comments are closed.