ଶାନ୍ତିସ୍ତୂପ ମରାମତି: ଖର୍ଚ୍ଚ ହେବ ୧କୋଟି ଟଙ୍କା

-ନିପୋନ ସଂଘକୁ ମାସିକ ଡିଡିସି ଦେବ ୨୦ ହଜାର, ଭାସ୍କର୍ଯ୍ୟଶିଳ୍ପୀଙ୍କ ପରାମର୍ଶ ନିଆଯିବ

ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପ ମରାମତି ପାଇଁ ଖର୍ଚ୍ଚ ହେବ ୧ କୋଟି ଟଙ୍କା। ଏ ନେଇ ନିପୋନ ସଂଘ ମାସିକ ଡିଡିସିକୁ ୨୦ ହଜାର ଟଙ୍କା ଦେବ ଓ ମରାମତି ନେଇ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପରାମର୍ଶ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ମର୍ମରେ ସୋମବାର ସନ୍ଧ୍ୟାରେ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ତୂପ ମରାମତି ଉପରେ ଆଲୋଚନା ହୋଇଥିଲା। ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ଅତିରିକ୍ତ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ତୂପ ମରାମତି କରାଯିବ। ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ବିଧାୟକ ପାଣ୍ଠିରୁ ସ୍ତୂପ ମରାମତି ପାଇଁ ୫୦ଲକ୍ଷ ଟଙ୍କା ଦେବା ପାଇଁ ପ୍ରକାଶ କରିଥିଲେ। ସେହିପରି ଧଉଳି ଉନ୍ନୟନ କମିଟି( ଡିଡିସି) ସ୍ତୂପ ମରାମତି ପାଇଁ ୫୦ ଲକ୍ଷ ଟଙ୍କା ଦେବାଲାଗି ସହମତି ପ୍ରକାଶ କରିଥିଲା। ଏହାବ୍ୟତୀତ ବୈଠକରେ ପ୍ରତି ମାସରେ କଳିଙ୍ଗ ନିପୋନ ସଂଘକୁ ଡିଡିସି ମରାମତି ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ମାର୍ଚ୍ଚମାସରୁ ମରାମତି ଖର୍ଚ୍ଚ ଦେବାକୁ ସ୍ଥିର ହୋଇଥିଲା।

 

ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ସ୍ବାଇଁ, ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, କଳିଙ୍ଗ ନିପୋନ ସଂଘ ସମ୍ପାଦକ ଲିଉ କିଓ ୟଙ୍ଗ( ମାଇକେଲ) ,ଦାର୍ଜିଲିଂ ତୋସିଆକି ଟାନାକା, ବୈଶାଳୀର କିଜି ନାକାସାଜୋ ଓ ଠାକାହିରୋ ଓକୋଙ୍ଗି ତଥା ରାଜ୍ୟ ବାହାରୁ ଆସିଥିବା ତିନି ବୌଦ୍ଧଭିକ୍ଷୁ, ରଶ୍ମିରଞ୍ଜନ ସାହୁ, ଧଉଳି ସରପଞ୍ଚ ପ୍ରତିନିଧି ହରେକୃଷ୍ଣ ସାହୁ, ସ୍ମୃତିରଞ୍ଜନ ସାହୁ, ଦ୍ବାରିକାନାଥ ଖୁଣ୍ଟିଆ, ଓଟିଡିସିର କନିଷ୍ଠ ଯନ୍ତ୍ରୀ ସୁବ୍ରତ ଜେନା ଓ ପର୍ଯ୍ୟଟନ କାର୍ଯ୍ୟାଳୟର ହେମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.