କୋଭିଡ ନିୟମ ଅନୁଯାୟୀ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କଲେ ପୂଜକ ପରିବାର

ଗୁରୁଡିଝାଟିଆ: କୋଭିଡ ନିୟମ ଅନୁଯାୟୀ ଆଜି ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ପୂଜକ ପରିବାରର ସଦସ୍ୟବୃନ୍ଦ। ମନରେ ଥିଲା ଅଶେଷ ଆନନ୍ଦ। ୧୦ମାସ ପରେ ପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଯାଇଥିଲେ ପୂଜକ ପରିବାରର ସଦସ୍ୟମାନେ। କେହି କେହି ଆଖିରୁ ଲୁହ ଝରାଇଥିଲେ। ଜଣେ ଜଣେ କରି କୋଭିଡ ନିୟମକୁ ମାନି ମୁହଁରେ ମାସ୍କ ପିନ୍ଧି ପୂଜକ ପରିବାରର ମହିଳାମାନେ ପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଜଣାପଡିଯାଉଥିଲା କେତେ ଶୃଙ୍ଖଳିତ ଓ ସରକାରଙ୍କ ନିୟମକୁ ପାଳନ କରୁଛନ୍ତି ପୂଜକ ପରିବାର ସଦସ୍ୟ। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣୀୟ। ଆଜି ଭୋରରୁ ପ୍ରଶାସନର ନିଷ୍ପତି ମୁତାବକ ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ ହୋଇଥିଲା। ପୂଜକ ଦୀନବନ୍ଧୁ ପଣ୍ଡା ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରିଥିଲେ। ଆଳତୀ, ସିଂକୁଡି ଭୋଗ, ଧୂପ ଆଦି ବିଧି ଅନୁଯାୟୀ ପୂଜା କରିବା ପରେ ପୂଜକ ପରିବାର ଦର୍ଶନ ପାଇଁ ପହଡ ଖୋଲିଥିଲା। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ନୀତିକାନ୍ତି ସଂପନ୍ନ ହୋଇଥିବା ବେଳେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଉପସ୍ଥିତ ରହିଥିଲେ।ପ୍ରଶାସନର ନିଷ୍ପତି କ୍ରମେ ଆଜି ପୂଜକ ପରିବାର ସଦସ୍ୟ ଦର୍ଶନ କରିଥିବା ବେଳେ ଆସନ୍ତାକାଲି ଓ ପରଦିନ ମଞ୍ଚେଶ୍ୱର ପଞ୍ଚାୟତର ଗାଁ ସମୂହର ଜନସାଧାରଣ ପ୍ରଭୁଙ୍କୁ ଦର୍ଶନ କରିବେ। ୧୧ ତାରିଖ ଠାରୁ ସର୍ବସାଧାରଣ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ କୋଭିଡ ନିୟମ ଅନୁଯାୟୀ। ପୀଠରେ ଗୁରୁଡିଝାଟିଆ ଥାନା ଅଧିକାରୀ ସମୀର ପଣ୍ଡାଙ୍କ ନେତୃତ୍ୱରେ ଆଇନ ରକ୍ଷା ପାଇଁ ଫାଣ୍ଡି ଅଧିକାରୀ ବସନ୍ତ କୁମାର ସାଠୁଆ ଉପସ୍ଥିତ ରହିଥିଲେ।

Comments are closed.